ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ରେ ପୂର୍ଣ୍ଣଛେଦ ! ବେଞ୍ଚକୁ ନେଇ ଏମିତି କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ
ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିକୁ ନେଇ ଆସିଛି ବଡ଼ ଖବର । ଦୀର୍ଘ ଦିନ ଧରି ଏହି ଦାବି ହୋଇ ଆସୁଛି । କିନ୍ତୁ ଏ ନେଇ ମନ୍ତବ୍ୟ ଦେଇ କଳ୍ପନାଜଳ୍ପନାକୁ ଆହୁରି ବଢାଇ ଦେଇଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ମେଘୱାଲ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମେଘୱାଲ ।

କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ମେଘାୱାଲ ଓଡ଼ିଶା ଗସ୍ତରେ ଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ଆବଶ୍ୟକତା ନାହିଁ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଇ କୋର୍ଟ ବ୍ୟବସ୍ଥା ଆରମ୍ଭ ହେଲାଣି । ଭର୍ଚୁଆଲରେ ସବୁ ସୁବିଧା ମିଳୁଛି । ଇ କୋର୍ଟ ବ୍ୟବସ୍ଥା ହାଇକୋର୍ଟ ବେଞ୍ଚ ସହ ସମାନ । ଇ କୋର୍ଟ ବ୍ୟବସ୍ଥାରେ ଓଡ଼ିଶା ଆଗରେ ଅଛି । ତେଣୁ ହାଇକୋର୍ଟ ବେଞ୍ଚର ଆଉ ଆବଶ୍ୟକତା ନାହିଁ ।
କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ପରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ରେ ପୂର୍ଣ୍ଣଛେଦ ପଡ଼ିବା କୁହାଯାଉଛି । କିନ୍ତୁ ବିଜେଡି ଓ କଂଗ୍ରେସ ନେତା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକ ରହିଛି ବୋଲି କହିଛନ୍ତି ।
ମେଘୱାଲଙ୍କ ଏହି ବୟାନ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି ବୋଲି କୁହାଯାଉଛି । ଆଗକୁ ନିର୍ବାଚନ ଆସୁଛି । ସମ୍ବଲପୁରରେ ମଧ୍ୟ ଏହା ଏକ ରାଜନୈତିକ ପ୍ରସଙ୍ଗ । ତେଣୁ ଏହାକୁ ନେଇ ରାଜନୈତିକ ବୟାନବାଜି ତେଜିବ ବୋଲି ଆକଳନ କରାଯାଉଛି ।
ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ ଚନ୍ଦ୍ର ରାଉତରାୟ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ଦୋହରାଇଛନ୍ତି । ରାଜ୍ୟରେ ଅନେକ ମାମଲା ବିଚାରଧୀନ ରହିଛି । ସେହି ମାମଲାର କିଭଳି ତ୍ବରିତ ଶୁଣାଣି ହେବା ଦରକାର ତା ଉପରେ ଗୁରୁତ୍ବ ଦେଇଛନ୍ତି । ତେଣୁ ମାମଲା ସଂଖ୍ୟାକୁ ଦେଖି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ଆଗାମୀ ଦିନରେ ସେ ଆଇନ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ନିବେଦନ କରିବେ ବୋଲି କହିଛନ୍ତି ।
ଅନ୍ୟପଟେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନକୁ ନେଇ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ପଶ୍ଚିମ ଓଡ଼ିଶାର ସବୁବେଳେ ଏହି ଦାବି ରହିଆସିଛି । ଆଶା କରୁଛୁ କେନ୍ଦ୍ର ସରକାର ଲକ୍ଷ ଲକ୍ଷ ପଶ୍ଚିମ ଓଡ଼ିଶାବାସୀଙ୍କର ଆଶାକୁ ପୂରଣ କରିବେ । ଦୀର୍ଘ ଦିନ ହେଲାଣି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପଶ୍ଚିମ ଓଡ଼ିଶାବାସୀ ଦାବି କରିଆସୁଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଛି । ତେଣୁ କେନ୍ଦ୍ର ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି ଉପରେ ଗୁରୁତ୍ୱ ଦେବା ଉଚିତ୍ ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବା ବେଳେ ତତ୍କାଳୀନ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜୁ କହିଥିଲେ, ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତି ରାଜ୍ୟ ସରକାର ଏବଂ ହାଇକୋର୍ଟ କରିବେ । କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେ କହିଥିଲେ ।
ବରିଷ୍ଠ ବିଜେପି ନେତା ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀ ଏହି ପ୍ରସଙ୍ଗରେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ଠାରୁ ଏକ ଚିଠି ପାଇଥିଲେ ଯେଉଁଥିରେ ରାଜ୍ୟର ଏକ ସମ୍ପୂର୍ଣ୍ଣ ପ୍ରସ୍ତାବ ଉପରେ ସକରାତ୍ନକ ଭାବେ କାମ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ରିଜିଜୁ ମଧ୍ୟ ସ୍ଥାନ, ଭିତ୍ତିଭୂମି ଏବଂ ପାଣ୍ଠି ସମେତ ଆବଶ୍ୟକ ବିବରଣୀ ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ବିଳମ୍ବ ଉପରେ ଆଲୋକପାତ କରିଥିଲେ ।
ଏହା ପରେ ବର୍ତ୍ତମାନ କେନ୍ଦ୍ର ଆଇନ୍ ମନ୍ତ୍ରୀଙ୍କ ଏଭଳି ବୟାନ ପରେ ଏହାକୁ ନେଇ ବଢିପାରେ ରାଜନୈତିକ ବୟାନବାଜି । ବେଞ୍ଚ ପ୍ରତିଷ୍ଠା ନେଇ ବିଜେପି ରାଜ୍ୟ ସରକାରଙ୍କ ବିଳମ୍ବତାକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କ ବୟାନକୁ କିପରି ଲୋକଙ୍କ ଆଗରେ ଉପସ୍ଥାପନ କରିବ ତାହା ଦେଖିବା ବାକି ରହିଲା ।












Click it and Unblock the Notifications