ଆହୁରି ବଢିବ ରାତିର ତାପମାତ୍ରା, ଘନ କୁହୁଡ଼ି ନେଇ ସତର୍କତା ଜାରି
ଭୁବନେଶ୍ୱର: ଫେବୃଆରୀ ମାସ ନ ସରୁଣୁ ଆରମ୍ଭ ହେଲାଣି ଖରାର ପ୍ରକୋପ । କେବଳ ଦିନରେ ନୁହଁ ରାତିରେ ମଧ୍ୟ ତାପମାତ୍ରା ବଢିଲାଣି । ରାତିରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଛି
ଆଗକୁ ରାତିର ତାପମାତ୍ରା ଆହୁରି ବଢ଼ିବ । ରାତିରେ ସ୍ୱାଭାବିକ ଠାରୁ 2 ଡିଗ୍ରୀ ଅଧିକ ତାପମାତ୍ରା ରହିବ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତାପମାତ୍ରା ବୃଦ୍ଧି ଯୋଗୁ ଆଗାମୀ 6-7 ଦିନ ଯାଏଁ ଶୀତର କୌଣସି ସମ୍ଭାବନା ନାହିଁ ।

ଅଧିକାଂଶ ସ୍ଥାନରେ 15 ଡିଗ୍ରୀରୁ ଅଧିକ ରହିଛି ରାତି ତାପମାତ୍ରା । ଆହୁରି ତିନି ଡିଗ୍ରୀ ବଢିବ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ । ହେଲେ ଏପର୍ଯ୍ୟନ୍ତ କୁହୁଡିରୁ ନିସ୍ତାର ମିଳିନି । ଏବେବି ଅନେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି । ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ମଧ୍ୟ ଘନ କୁହୁଡ଼ି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇପାରେ । ଏ ନେଇ 4 ଜିଲ୍ଲାକୁ ସତର୍କ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର । ଗାଡି ଚଳାଚଳ ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ପରାମର୍ଶ ଦିଆଯାଇଛି ।
ବାୟୁମଣ୍ଡଳରେ ଅଧିକ ଧୂଳିକଣା ଓ ଆର୍ଦ୍ରତା ଯୋଗୁ କୁହୁଡି ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହିପାଗ ଆହୁରି ଦୁଇଦିନ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ରବିବାର ସକାଳୁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହେବ ।
ସେହିପରି 19 ତାରିଖ ସକାଳ 8.30 ଓ 20 ତାରିଖ ସକାଳ 8.30 ଯାଏଁ କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ସୋନପୁର, ବୌଦ୍ଧ, ପୁରୀ, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା, ଗଜପତି, ବଲାଙ୍ଗିର ଓ ସମ୍ବଲପୁରର ଗୋଟିଏ ଦୁଇ ସ୍ଥାନରେ ଘନ କୁହୁଡ଼ି ଦେଖାଯିବ । ଏଥିପାଇଁ ଏସବୁ ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications