ଦେଓମାଳିରେ କଟେଜ ନିର୍ମାଣ ବିବାଦ, ନୋଟିସ୍ ଜାରି କଲା NGT
କୋରାପୁଟ : ଓଡ଼ିଶାର ସର୍ବୋଚ୍ଚ ପର୍ବତ ଦେଓମାଳିରେ କଟେଜ୍ ନିର୍ମାଣ ମାମଲାରେ ହସ୍ତକ୍ଷେପ କରିଛି NGT । ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଦାରି କରିଛି NGT । 4 ସପ୍ତାହ ମଧ୍ୟରେ ଜବବା ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ଅଗଷ୍ଟ 23 ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଦେଓମାଳି ଶିଖରର ପାଖାପାଖି 26 ଏକର ଜଙ୍ଗଲ ଜମିରେ ସ୍ଥାୟୀ କଂକ୍ରିଟ ନିର୍ମାଣକୁ ବିରୋଧ ୱାଇଲ୍ଡ ଲାଇଫ୍ ସୋସାଇଟି ଅଫ୍ ଓଡ଼ିଶା ପକ୍ଷରୁ ଏହି ମାମଲା ଦାଏର ହୋଇଛି । ଅଭିଯୋଗ ଅନୁସାରେ ଦେଓମାଳି ପାହାଡ଼ ଶିଖର ଜୈବ ବିବିଧତା ଐତିହ୍ୟ ସ୍ଥଳୀ ପାଇଁ ଯୋଗ୍ୟ ବିବେଚିତ ହୋଇଛି । ଏଠାରେ ଅନେକ ବିରଳ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ ସମେତ 84 ପ୍ରକାର ଔଷଧୀୟ ବୃକ୍ଷ ରହିଛି । ତେଣୁ ଏଠାରେ କଂଙ୍କ୍ରିଟ ନିର୍ମାଣ କଲେ ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା ଅଛି ।
ଏହାର ଶୁଣାଣି କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ଜୈବ ବିବିଧତା ବୋର୍ଡ, କୋରାପୁଟ ଜିଲ୍ଲାପାଳ, କୋରାପୁଟ ବନଖଣ୍ଡ ଅଧିକାରୀ, ସିମିଳିଗୁଡା ରେଞ୍ଜ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି ଏନଜିଟି ।
ଗତବର୍ଷ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦେଓମାଳୀ ଗସ୍ତରେ ଯାଇଥିବା ସମୟରେ ସେଠାକାର ମହିଳାଙ୍କୁ ସ୍ୱାବଲମ୍ବୀ କରି ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ସବୁ ପ୍ରୟାସ କରାଯିବ ଓ ସର୍ବୋଚ୍ଚ ଶୃଙ୍ଗ ଦେଓମାଳି ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର ପାଲଟିବ ବୋଲି କହିଥିଲେ ।ଦେଓମାଳିରେ ହୋଟେଲ ନିର୍ମାଣ ସହ ଇକୋ ଟୁରିଜିମ୍ କଟେଜ୍ ନିର୍ମାଣ କରାଯିବ ଓ ଏହାର ସଂପୂର୍ଣ୍ଣ ଦାୟିତ୍ବ ଏସ୍ଏଚ୍ଜିକୁ ଦିଆଯିବ ଏବଂ ତାହାର ତଦାରଖ ମହିଳାମାନେ କରିବେ ବୋଲି କହିଥିଲେ । ଦେଓମାଳୀ ପର୍ବତ ଶିଖରକୁ ଯାଇ ଇକୋ ଟୁରିଜିମ୍ କଟେଜ୍ ନିମନ୍ତେ କେତେକ ସ୍ଥାନରେ ଜମି ଚିହ୍ନଟ କରିଥିଲେ । ଯାହାକୁ ନେଇ ଏବେ ଏନଜିଟିରେ ମାମଲା ଦାୟର ହୋଇଛି ।












Click it and Unblock the Notifications