ଅଲୋଡ଼ା ହେଲା ଶିଶୁକନ୍ୟା, ବସ୍ ଚକା ତଳେ ଛାଡ଼ି ଚାଲିଗଲେ...
କେନ୍ଦୁଝର: ପୁଣି ମରିଗଲା ମଣିଷପଣିଆ । କନ୍ୟା ହୋଇ ଜନ୍ମ ହେଲା ବୋଲି ପାଲଟିଗଲା ଅଲୋଡ଼ା । ଏତେ ତଳକୁ ଖସିଗଲେ ଯେ, ଶିଶୁକନ୍ୟାକୁ ବସ ଚକା ତଳେ ଛାଡ଼ି ଦେଇ ଚାଲିଗଲେ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ ।
କେନ୍ଦୁଝର ଜିଲ୍ଲା ଚମ୍ପୁଆରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଛ' ମାସର ଶିଶୁକନ୍ୟା ସନ୍ତାନକୁ ଏକ ବ୍ୟାଗରେ ପୁରାଇ ବସ୍ ଚକ ତଳେ କେହି ଛାଡ଼ି ଚାଲିଯାଇଥିଲେ । ଚମ୍ପୁଆ ପୋଲିସ୍ ଶିଶୁଟିକୁ ଉଦ୍ଧାର କରି ଚମ୍ପୁଆ ମେଡିକାଲରେ ଭର୍ତ୍ତି କରିଛି । ଶିଶୁ ଟି ସୁସ୍ଥ ଥିବା ସୂଚନା ମିଳିଛି । କିନ୍ତୁ କନ୍ୟା ସନ୍ତାନଟିର ପରିଚୟ ମିଳିନାହିଁ ।

ଚମ୍ପୁଆ ବସ ଷ୍ଟାଣ୍ଡରେ ଛିଡା ହୋଇରହିଥିବା ଧବଳେଶ୍ୱର ନାମକ ଏକ ଘରୋଇ ବସର ଚକ ପାଖରେ ଶିଶୁକନ୍ୟାଟିକୁ କିଏ ଛାଡ଼ି ପଳାଇ ଯାଇଥିଲା । ଗତ ରାତି ପ୍ରାୟ 9 ଟା ସମୟରେ ବସର ହେଲପର ଗାଡିର ଚକ ଗୁଡିକୁ ଯାଞ୍ଚ କରୁଥିବା ସମୟରେ ଚକ ତଳେ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରେ ଶିଶୁ କନ୍ୟାଟି ଥିବା ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଶିଶୁକନ୍ୟାଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କିଏ ଓ କାହିଁକି ଏପରି ଅମାନବୀୟ କାର୍ଯ୍ୟ କଲା ଜଣାପଡ଼ି ନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି ।












Click it and Unblock the Notifications