ଲୋକାର୍ପିତ ହେଲା ନେତାଜୀ ବସ୍ ଟର୍ମିନାଲ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କଟକ: ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ବହୁପ୍ରତୀକ୍ଷିତ ନେତାଜୀ ବସ୍ ଟର୍ମିନାଲ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ସେ ବସ୍ ଟର୍ମିନାଲ ବୁଲି ଦେଖିଛନ୍ତି । ନେତାଜୀ ବସ ଟର୍ମିନାଲରୁ ପ୍ରଥମେ ପୁରୀ, ନବରଙ୍ଗପୁର ଓ ରାୟଗଡାକୁ ଯାତ୍ରୀବାହୀ ବସ୍ ଗଡ଼ିଛି ।
କଟକର ଖାନ୍ନଗରରେ ନିର୍ମାଣ ହୋଇଛି ଏହି ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲ ।

ବସ ଟର୍ମିନାଲରେ ଅନେକ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । 15 ଏକର ପରିମିତ ଜମି ଉପରେ ତିଆରି କରାଯାଇଥିବା ଏହି ବସ ଟର୍ମିନାଲରେ ଖର୍ଚ୍ଚ ହୋଇଛି 90.2 କୋଟି ଟଙ୍କା । ଏଠାରେ 192 ଟି ବସର ରହଣି ଓ ଯାତାୟାତ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି ।
ଡ୍ରାଇଭର ଏବଂ ବସ୍ର ସହାୟକମାନଙ୍କ ପାଇଁ ବିଶ୍ରାମ ଗୃହ, ଆହାର କେନ୍ଦ୍ର, ମିସନ ଶକ୍ତି କାଫେ ଓ ବସ୍ ରହଣି ସ୍ଥାନ ରହିଛି । ଯାତ୍ରୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ବସ୍ ଟର୍ମିନାଲରେ 52 ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହ 20 ଟି 'ମୋ ବସ୍' ରହଣୀର ସୁବିଧା ରହିଛି ।
କଟକ ମହାନଗର ନିଗମ ପକ୍ଷରୁ ପୂର୍ବରୁ କୁହାଯାଇଛି ଯେ, ଖୁବଶୀଘ୍ର ଖାନନଗର ରିଂ-ରୋଡ଼ ରାସ୍ତାକୁ 6-ଲେନ ରାସ୍ତାରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି କାର୍ଯ୍ୟକୁ ଚଳିତବର୍ଷ ଡିସେମ୍ବର ମାସ ମଧ୍ୟରେ ଶେଷ କରାଯିବ ବୋଲି ଯୋଜନା ରଖିଛି ।












Click it and Unblock the Notifications