ପୁଣି ବିଗିଡ଼ିଲା ସେବା ଏକ୍ସପ୍ରେସ୍, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲାନି ଷ୍ଟାର୍ଟ
ନୟାଗଡ଼: ନୟାଗଡ଼ ଓ ଭୁବନେଶ୍ୱରକୁ ଯାତାୟତ କରୁଥିବା ସେବା ଏକ୍ସପ୍ରେସ୍ ପୁଣି ବିଗିଡ଼ିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୟାଗଡ଼ ଷ୍ଟେସନରେ ଗାଡ଼ି ଷ୍ଟାର୍ଟ ହୋଇ ନଥିଲା । ଫଳରେ ଯାତ୍ରାମାନେ ହନ୍ତସନ୍ତ ହୋଇଥିଲେ ।

ସକାଳ 6 ଟା 45 ମିନିଟରେ ଟ୍ରେନ୍ ଛାଡ଼ିବାର ସମୟ ଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଟ୍ରେନ୍ଟି ଷ୍ଟାର୍ଟ ହୋଇନଥିବା କୁହାଯାଉଛି । ପ୍ରାୟ 2 ଘଣ୍ଟା ଧରି ଷ୍ଟେସନରେ ଅଟକି ରହିଥିଲା । ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପରେ ଏହା ଠିକେ ହେବା ପରେ ସକାଳ 9ଟାରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା । ଏହି ଘଟଣାକୁ ନେଇ ଷ୍ଟେସନ ମାଷ୍ଟରଙ୍କୁ ଲୋକେ ଘେରି ପାଟିତୁଣ୍ଡ କରିଥିଲେ। ରେଳ ଷ୍ଟେସନରେ ଉତ୍ତେଜନା ଦେଖା ଦେଇଥିଲା । ଟିକେଟ କ୍ୟାନସେଲେସନ ପାଇଁ ଷ୍ଟେସନ ମାଷ୍ଟର ରାଜି ହୋଇ ନଥିଲେ ।
ପୂର୍ବରୁ ଜଙ୍ଗଲ ଭିତରେ ଏହି ଟ୍ରେନ୍ ଅଟକିଥିବା ବେଳେ ଆଜି ନୟାଗଡ଼ ଷ୍ଟେସନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଷ୍ଟାର୍ଟ ହୋଇପାରି ନଥିଲା । ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଏହି ଏକମାତ୍ର ମେମୁ ଟ୍ରେନଟି ବାରମ୍ବାର ଅଚଳ ହେଉଥିବା ବେଳେ ଏହି ଟ୍ରେନକୁ ବଦଳାଇ ପୂର୍ବରୁ ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ମେମୁ ଟ୍ରେନକୁ ପୁନର୍ବାର ଏଠାରୁ ଚଳାଇବାକୁ ବିଗତ ଦିନରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗ ନିକଟରେ ଦୃଢ଼ ଦାବି କରାଯାଇଥିଲା ।
ଏହି ମେମୁ ଟ୍ରେନର ଇଞ୍ଜିନ ବାରମ୍ବାର ଅଚଳ ହେଉଛି । ଫଳରେ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଚାଲୁଥିବା ଏହି ଟ୍ରେନ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।












Click it and Unblock the Notifications