ନିପନ୍ ଷ୍ଟିଲ୍ ବୁଲି ଦେଖିଲେ ନବୀନ, ରାଜ୍ୟରେ ସ୍ଥାପନ ହେବ 30 ନିୟୁତ ଟନ୍ କ୍ଷମତାବିଶିଷ୍ଟ ଇସ୍ପାତ କାରଖାନା
ଟୋକିଓ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଅଛନ୍ତି । ଏହି ସମୟରେ ନବୀନ ଆଜି ନିପନ୍ ଷ୍ଟିଲ୍ କ୍ଷେତ୍ର ବୁଲି ଦେଖିଛନ୍ତି । ନିପନ୍ ଷ୍ଟିଲ କର୍ପୋରେସନର ଆଇଡି ସେଣ୍ଟର ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପୂର୍ବରୁ ନିପନ୍ ଷ୍ଟିଲ୍ କର୍ପୋରେସନ୍ ଅଧ୍ୟକ୍ଷ ଇଜି ହାସିମୋଟାଙ୍କୁ ସାକ୍ଷାତ କରିଥିଲେ ।
ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ରାଜ୍ୟରେ ନିପନ୍ କମ୍ପାନୀ ବାର୍ଷିକ 30 ନିୟୁତ ଟନ୍ କ୍ଷମତାବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବ ବୋଲି ଆଲୋଚନା ହୋଇଛି । ଏନେଇ କମ୍ପାନୀ ଯୋଜନା ରଖିଥିବା ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ହାସିମୋଟା ଓ ତାଙ୍କ ଟିମକୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

5-ଟି ସଚିବ ପାଣ୍ଡିଆନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଏକ ଭିଡିଓ ବାର୍ତ୍ତାଳାପ ଇନଷ୍ଟାରେ ସେୟାର କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, 'ଟୋକିଓ ସ୍ଥିତ ନିପନ୍ ଷ୍ଟିଲ ପ୍ଲାଣ୍ଟ ବୁଲି ଦେଖିବା ବେଳେ ସେମାନଙ୍କ ପରିବେଶ ଉପଯୋଗୀ ପଦକ୍ଷେପ ଦେଖି ବହୁତ ଖୁସି ହେଲି । ଗ୍ରୀନ ଟେକ୍ନୋଲୋଜି ଉପଯୋଗରେ ଷ୍ଟିଲ ଉତ୍ପାଦନରେ ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସହଯୋଗରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ହେବାକୁ ଯାଉଥିବା ଷ୍ଟିଲ ପ୍ଲାଣ୍ଟ ନେଇ ମୁଁ ବହୁତ ଆଶାବାଦୀ ।'
ଉଲ୍ଲେଖଯୋଗ୍ୟ, ଓଡ଼ିଶା ବିଜନେସ୍ ମିଟ୍ ମାଧ୍ୟମରେ ଓଡ଼ିଶା ସରକାର ଲଜିଷ୍ଟିକ୍ସ, ମେଟାଲ ଆନୁଷଙ୍ଗିକ, ଇସ୍ପାତ, ମେଟାଲ ଡାଉନଷ୍ଟ୍ରିମ୍, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ, ଗ୍ରୀନ୍ ଏନର୍ଜି ଇକ୍ୱିପମେଣ୍ଟ ଉତ୍ପାଦନ ଏବଂ ଆଇଟି/ଆଇଟିଇଏସ୍ ଭଳି କ୍ଷେତ୍ରରେ 25 ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ପ୍ରସ୍ତାବ ହାସଲ କରିଛନ୍ତି। ସେହିପରି ନିହନ-ଉତ୍କଳ (ଏନ୍ଆଇଟିକେଏଲ୍) ଏବଂ ଭୁବନେଶ୍ୱର-ଆଇଆଇଆଇଟି ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଜାପାନରୁ 26 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ନିବେଶକ । ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ଗ୍ରୀନ ଏନର୍ଜୀ, ଆଇଟି କ୍ଷେତ୍ରରେ ନିବେଶ ପାଇଁ ଏହି ପ୍ରସ୍ତାବ ଆସିଛି ।
ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର, , ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଓ ଇପିକଲର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ପ୍ରମୁଖ ଜାପାନ ଗସ୍ତରେ ସାମିଲ ହୋଇଛନ୍ତି ।












Click it and Unblock the Notifications