ରାଜ୍ୟର 576 ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି, ଆଦର୍ଶ ସୃଷ୍ଟି କରିବା ପାଇଁ ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଲେ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ 576 ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ମିଳିଛି । ଏଥି ମଧ୍ୟରେ 368 ଜଣ ହିନ୍ଦୀ ଓ 208 ଜଣ ସଂସ୍କୃତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ମିଳିଛି । ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟରରେ ନିଯୁକ୍ତି ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ଏହି ଅବସରରେ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ଗୋଟିଏ ଜାତିର ଚିନ୍ତା, ଚେତନାରେ ପରିବର୍ତ୍ତନ ଆଣିଥାଏ । ଛାତ୍ରଛାତ୍ରୀଙ୍କୁ ବଡ ସ୍ବପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥାଏ । ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ପାଇଁ ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଲକ୍ଷ୍ୟ ନେଇ ଆମର 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜାରି ରହିଛି ବୋଲି ପ୍ରକାଶ କରି ସେ କହିଲେ ଯେ ଏହା ଦ୍ୱାରା ରାଜ୍ୟର ସ୍କୁଲ ଗୁଡିକର ଭିତ୍ତିଭୂମି ଓ ପରିବେଶରେ ସମ୍ପୂର୍ଣ୍ଣ ରୂପାନ୍ତର ଆସିଛି । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲ ଗୁଡିକରେ ଶିକ୍ଷାର ଗୁଣାତ୍ମକ ମାନରେ ଉଲ୍ଲେଖନୀୟ ବୃଦ୍ଧି ଆସିପାରିଛି । ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜରିଆରେ 4 ହଜାର 605 ଟି ନୂଆ କ୍ଲାସରୁମ୍, 16 ହଜାର 920 ଟି ସ୍ମାର୍ଟ କ୍ଲାସରୁମ, 7 ହଜାର 863 ଟି ଆଧୁନିକ ଲାବୋରେଟୋରୀ, 7 ହଜାର 920 ଟି ଇ-ଲାଇବ୍ରେରୀ ସୃଷ୍ଟି କରାଯାଇଛି । ରାଜ୍ୟରେ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଉଛି । ମାଧ୍ୟମିକ ସ୍ତରରେ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର 4 ହଜାର 742 ଜଣ ଶିକ୍ଷକ ନିଯୁକ୍ତ କରିଛନ୍ତି । 5T ମନ୍ତ୍ର ଆଧାରରେ ଶିକ୍ଷା ବିଭାଗ ଏବେ ଶୀର୍ଷରେ ପହଞ୍ଚି ପାରିଛି । କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ସଚିବ ଉପସ୍ଥିତ ଥିଲେ ।












Click it and Unblock the Notifications