ଜାତୀୟସ୍ତରରେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା'ର କମାଲ, ଗ୍ରହଣ କଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର
ଭୁବନେଶ୍ୱର: ଜାତୀୟସ୍ତରରେ କମାଲ୍ କଲା ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' । ବାପା-ପୁଅର ଆବେଗ ଭରା କାହାଣୀ ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା'କୁ ମିଳିଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏହି ପୁରସ୍କାର ଗ୍ରହଣ କରିଛନ୍ତି ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁପମ ପଟ୍ଟନାୟକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଅନୁପମ ।

ଦିଲ୍ଲୀ ବିଜ୍ଞାନ ଭବନରେ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି । ଚଳଚ୍ଚିତ୍ର ପାଇଁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଲ୍ଲୁ ଅର୍ଜୁନଙ୍କୁ ଫିଲ୍ମ ପୁଷ୍ପା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଥମ ତେଲୁଗୁ ଅଭିନେତା ଭାବେ ଅଲ୍ଲୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ଚଳଚ୍ଚିତ୍ର ମିମି ପାଇଁ କ୍ରୀତି ସନ୍ନୋନ ଓ ଗଙ୍ଗୁବାଇ କାଥିଆୱାଡ଼ ପାଇଁ ଆଲିଆ ଭଟ୍ଟ ପୁରସ୍କୃତ ହୋଇଛନ୍ତି ।
ଅନ୍ୟପଟେ ପଙ୍କଜ ତ୍ରିପାଠୀଙ୍କୁ ଶ୍ରେଷ୍ଠ ସହଅଭିନେତା, ପଲ୍ଲବୀ ଯୋଶୀଙ୍କୁ ଶ୍ରେଷ୍ଠ ସହଅଭିନେତ୍ରୀ ପୁରସ୍କାର ମିଳିଛି । ୱାହିଦା ରେହମାନଙ୍କୁ ଭାରତୀୟ ସିନେମାରେ ନିଜର ଅବଦାନ ପାଇଁ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମଧ୍ୟବିତ୍ତ ପରିବାରରେ ବାପପୁଅଙ୍କ ସଂପର୍କ କୁ ଚିତ୍ରିତ କରାଯାଇଛି । ଚାକିରି ପାଇଁ ପୁଅ କିପରି ସମସ୍ୟାର ସମ୍ମୁଖୀନ ହେଉଛି, ସେ ନେଇ କାହାଣୀ ପରିବେଷିତ । ଓଡିଆ ଦର୍ଶକଙ୍କ ମନକୁ ଛୁଇଁଥିଲା ଏହି ଚଳଚ୍ଚିତ୍ର । ଫିଲ୍ମରେ ମୁଖ୍ୟ ଭୂମିକାରେ ଦ୍ୱିପାନ୍ୱିତ ଓ ବର୍ଷାଙ୍କ ଆକର୍ଷଣୀୟ ଅଭିନୟ ଦେଖଣାହାରୀଙ୍କ ମନକୁ ଛୁଇଁଯାଇଥିଲା












Click it and Unblock the Notifications