ନାର୍କୋ ଟେଷ୍ଟ ପରେ ଅଚେତ ହୋଇପଡ଼ିଛି ଗୋପାଳ
ଗୁଜୁରାଟ ଗାନ୍ଧୀନଗରରେ ଗୋପାଳର ନାର୍କୋ ଟେଷ୍ଟ ହୋଇଛି । ଏହା ପରେ ଗୋପାଳ ଅଚେତ ହୋଇପଡ଼ିଥିବା ଜଣାପଡ଼ିଛି । ଡାକ୍ତରମାନେ ଗୋପାଳର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ।

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଫିଟାଇବାକୁ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ହତ୍ୟା ପଛର କାରଣ ଜାଣିବା ପାଇଁ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ କରାଯାଇଛି । ଗୁଜୁରାଟ ଗାନ୍ଧୀନଗରରେ ଗୋପାଳର ନାର୍କୋ ଟେଷ୍ଟ ହୋଇଛି । ଏହା ପରେ ଗୋପାଳ ଅଚେତ ହୋଇପଡ଼ିଥିବା ଜଣାପଡ଼ିଛି । ଡାକ୍ତରମାନେ ଗୋପାଳର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ।
ହତ୍ୟାକାଣ୍ଡର ରହସ୍ୟ ପଦାକୁ ଆଣିବା ପାଇଁ ତଦନ୍ତକାରୀ ସଂସ୍ଥା ନାର୍କୋ ଟେଷ୍ଟରେ ଗୋପାଳଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିବା ଜଣାପଡିଛି । ତେବେ ଏବେ ସୁଦ୍ଧା କ୍ରାଇମବ୍ରାଞ୍ଚ ତରଫରୁ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ । ତଦନ୍ତ ଜାରି ରହିଛି ।
କୋର୍ଟଙ୍କ ଅନୁମତି ପରେ ଗୋପାଳକୁ ଓଡ଼ିଶାରୁ ଗୁଜୁରାଟକୁ ନିଆଯାଇଥିଲା । ସେଠାରେ ତାର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରିବା ପାଇଁ କୋର୍ଟ ଅନୁମତି ଦେଇଥିଲେ । ଏବେ ନାର୍କୋ ଟେଷ୍ଟ ସରିବା ପରେ ରବିବାର ସୁଦ୍ଧା ଗୋପାଳକୁ ଓଡ଼ିଶା ଅଣାଯିବ ।
କାହିଁକି ନବ ଦାସଙ୍କୁ ହତ୍ୟା କଲା ? ହତ୍ୟା ପଛର କାରଣ କଣ ? କେଉଁ କାରଣରୁ ନବକିଶୋରଙ୍କ ଉପରେ ରାଗଥିଲା ? କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା କି ? ନାର୍କୋ ପରୀକ୍ଷା ବେଳେ ଏସବୁ ପ୍ରଶ୍ନର ଉତ୍ତର ଦେଇଛି ଗୋପାଳ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ 8 ଜଣିଆ ଟିମ୍ ଗାନ୍ଧୀନଗରରେ ଗୋପାଳକୁ ଜେରା କରିଛନ୍ତି । ପୂର୍ବରୁ ଗୋପାଳର ଏଲଭିଏ ଟେଷ୍ଟ କରାଯିବା ସହ ଘଟଣାସ୍ଥଳରେ କ୍ରାଇମସିନ୍ ରିକ୍ରିଏସନ୍ କରାଯାଇଛି ।
ଅପରପକ୍ଷରେ ତୃତୀୟ ଥର ପାଇଁ ଗୋପାଳର 5 ଦିନିଆ ରିମାଣ୍ଡ ଆସନ୍ତା 13 ତାରିଖରେ ଶେଷ ହେଉଛି । ଏହି ସମୟ ମଧ୍ୟରେ ତଦନ୍ତକାରୀ ସଂସ୍ଥା ଗୋପାଳ ମୁହଁରୁ ସତ ଓଗାଳି ପାରୁଛି କି ନାହିଁ ତାହା ଦେଖିବା ବାକି ରହିଲା ।












Click it and Unblock the Notifications