ଛାଡ଼ଖାଇରେ ଜମିଲା ଆମିଷ ବେପାର, ଗୋଟିଏ ଦିନରେ କୋଟିଏ ଟଙ୍କାର ମଟନ୍ ଶେଷ
ଭୁବନେଶ୍ୱର: କାର୍ତ୍ତିକ ମାସ ପରେ ଛାଡ଼ଖାଇକୁ ଆମିଷ ପର୍ବ ଭାବେ ପାଳ କରିଦେଲେ ଓଡ଼ିଶାବାସୀ । ଘରେ ଘରେ ରନ୍ଧା ହେଲା ଭଳିକି ଭଳି ଆମିଷ ତରକାରୀ । ମଟନ୍, ଚିକେନ୍, ମାଛ, ଚିଙ୍ଗୁଡ଼ି ଆଦି ତରକାରୀର ବାସ୍ନାରେ ମହକିଲା ଚାରିଆଡ଼ ।

ଛାଡ଼ଖାଇ ପାଳନ ନେଇ ବୁଧବାର ଦିନ ରାଜଧାନୀରେ ଖୋଳିଥିଲା ଆମିଷ ପସରା । ଭିନ୍ନ ଭିନ୍ନ ଆମିଷ କିଣା ନେଇ ବଜାରରେ ଲାଗିଥିଲା ଲୋକଙ୍କ ଭିଡ଼ । ଏଥର ଛାଡ଼ଖାଇ ମଙ୍ଗଳବାର ପଡ଼ୁଥିବାରୁ ପ୍ରାୟ ଲୋକ ବୁଧବାର ଦିନ ଛାଡ଼ଖାଇ କରିଥିଲେ । ମାସେ ଧରି ଆମିଷ ଖାଇ ନଥିବାରୁ ବୁଧବାର ଦିନ ଖୁସିରେ ଟିକେ ଆମିଷ ଖାଇ ଛାଡ଼ଖାଇ ପାଳନ କରିଛନ୍ତି । ଏ ଦିନଟିକୁ ଆଖିରେ ରଖି ଆମିଷ ବ୍ୟବସାୟୀମାନେ ଢ଼େର୍ ଆଗରୁ ପ୍ରସ୍ତୁତି କରିଥିଲେ ।
ମିଳିଥିବା ହିସାବ ଅନୁସାରେ, ଏଥର ରାଜଧାନୀରେ ପ୍ରାୟ 2 କୋଟି 75 ଲକ୍ଷ ଟଙ୍କାର ଆମିଷ କାରବାର ହୋଇଛି । ଗୋଟିଏ ଦିନରେ କେବଳ କୋଟିଏ ଟଙ୍କାର ମଟନ୍ ବେପାର ହୋଇଛି । ସେହିପରି 85 ଲକ୍ଷ ଟଙ୍କାର ଚିକେନ୍ ଓ 90 ଲକ୍ଷ ଟଙ୍କାର ମାଛ ବିକ୍ରି ହୋଇଛି । ଗତବର୍ଷ 4 କୋଟିରୁ ଅଧିକ ବେପାର ହୋଇଥିବା ବେଳେ ଚଳିତ ବର୍ଷ ବେପାର କମ ଥିଲା । ମାସର ଶେଷ ସମୟ ହୋଇଥିବାରୁ ଲୋକମାନେ ପକେଟକୁ ଦେଖି ଅଧିକ ଆମିଷ କିଣୁ ନଥିବା ଅଲ୍ ଓଡିଶା ଆମିଷ ବେବସାୟୀ ମହାସଂଘର ସଭାପତି ସେଖ୍ ମୁନ୍ତାକିମ୍ ବକ୍ସ କହିଛି ।
ଏପରିକି ଛାଡ଼ଖାଇ ଦିନ ବଜାର ଚାହିଦାକୁ ଲକ୍ଷ୍ୟ କରି ଆମିଷ ବଜାରରେ ଦର ବି ଟିକେ ଅଧିକ ଥିଲା । ପ୍ରାୟ ସବୁଥିରେ କିଲୋ ପିଛା 20- 50 ଟଙ୍କା ଯାଏଁ ବଢ଼ି ଯାଇଥିଲା । ମଟନ୍ କିଲୋ ପିଛା 50 ଟଙ୍କା ବଢ଼ି କିଲୋ ପିଛା 800 ଟଙ୍କା ରହିଥିବା ବେଳେ, ଇଲିସି ମାଚ କିଲୋ 2000 ଟଙ୍କା, ରୋହି 240, ଭାକୁର 300, ଚିଙ୍ଗୁଡ଼ି 450, ବ୍ରଏଲର ଚିକେନ୍ 220, ଦେଶୀ ଚିକେନ 500 ଟଙ୍କା ରହିଥିଲା ।
ବେପାରୀମାନେ ବି ବୁଧବାରକୁ ଦେଖି ସେହି ଅନୁସାରେ ଆଗୁଆ ଅର୍ଡର ଦେଇ ମାଲ୍ ଆଣି ରଖିଥିଲେ । ଓଡ଼ିଶା ଛେଳି ଯଥେଷ୍ଟ ହେବନାହିଁ ବୋଲି ଜାଣି ପୂର୍ବରୁ ପଶ୍ଚିମବଙ୍ଗରୁ ଛେଳି ଅଣା ହୋଇଥିଲା । ସେହିଭଳି ଆନ୍ଧ୍ରପ୍ରଦେଶରୁ ମାଛ ଓ ଚିକେନ୍ ଅଧିକ ପରିମାଣରେ ଆମଦାନି ହୋଇଥିଲା ।












Click it and Unblock the Notifications