ହସ୍ପିଟାଲ କ୍ୟାଣ୍ଟିନ୍ ଓ ୱାଓ ମୋମୋରେ ମିଳିବ ମାଣ୍ଡିଆ
ଭୁବନେଶ୍ୱର: ହସ୍ପିଟାଲ କ୍ୟାଣ୍ଟିନ ଓ ୱାଓ ମୋମୋରେ ମିଳିବ ମାଣ୍ଡିଆ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟର କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ । ସୂଚନା ମୁତାବକ, ଗତ ବର୍ଷ 6 ଲକ୍ଷ ମେଟ୍ରିକ ଟନ୍ ମିଲେଟ୍ ସଂଗ୍ରହ କରାଯାଇଛି । ରାଜ୍ୟର 30 ଜିଲ୍ଲାର 177 ବ୍ଲକରେ ଏଥର ମିଲେଟ୍ ଚାଷ ହେଇଛି । ଅନ୍ୟପଟେ ରାଜ୍ୟରେ ଅଢେଇ ଲକ୍ଷ ହେକ୍ଟର ଜାଗାରେ ରାଗି ଚାଷ ହେଇଛି । ଆଉ ଦୁଇ ଲକ୍ଷ ଚାଷୀ ଏଥିରେ ଯୋଡି ହୋଇଛନ୍ତି ବୋଲି କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ଉଲ୍ଲେଖଥାଉକି, ଭୁବନେଶ୍ୱରର ଜନତା ମଇଦାନରେ ଆଜି ଠାରୁ ଦୁଇଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି । ଏହି ସମ୍ମିଳନୀରେ ପୁଷ୍ଟିଶସ୍ୟ ସମ୍ପର୍କିତ ଭିନ୍ନ ଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ । ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବିଷୟବସ୍ତୁ ରହିଛି 'ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍' ।
ଏହି ସମ୍ମିଳନୀରେ ମିଲେଟ୍ ଚାଷ, ପ୍ରକ୍ରିୟାକରଣରେ କୃଷକମାନଙ୍କର ସଂପୃକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ, ବୈଷୟିକ ଅଧିବେଶନ, ଅନ୍ତର୍ଜାତୀୟ ଖାଦ୍ୟମେଳା, କୁଇଜ୍ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ ହେବ । ଏହା ସହ ମିଶନ ଶକ୍ତି ଅଧୀନ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ମିଲେଟ୍ ଉଦ୍ୟୋଗୀମାନଙ୍କ ସଫଳତାର କାହାଣୀ ପ୍ରଦର୍ଶିତ ହେବ ।
ସମ୍ମିଳନୀରେ ସାରା ଦେଶ ପାଇଁ ମିଲେଟ୍ ପଲିସି ରୋଡମ୍ୟାପ ପ୍ରସ୍ତୁତ ହେବ । ମାଣ୍ଡିଆ ଚାଷୀଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ସହ ଘର ଘରେ ମିଲେଟ୍ ବ୍ୟବହାର ବୃଦ୍ଧି ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଲକ୍ଷ୍ୟ ରଖିଛି ।
ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭଲମେଣ୍ଟ, ଆଫ୍ରିକୀୟ ଓ ୟୁରୋପୀୟ ଦେଶର କୃଷି ପରାମର୍ଶଦାତା ସାମିଲ ହେବେ। ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍, ଖାତନାମା ସେଫ୍ ବିକାଶ ଖାନ୍ନା ପ୍ରମୁଖ ସାମିଲ ହେବେ ।
ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ 2023 ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ ଗତବର୍ଷଠାରୁ ନଭେମ୍ବର 10 କୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି ।












Click it and Unblock the Notifications