ଭୁବନେଶ୍ୱରରେ ବିଲ୍ ଗେଟ୍ସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଏହି ସବୁ କାର୍ଯ୍ୟକ୍ରମରେ ହେବେ ସାମିଲ
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ୍ । ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବିଲ୍ ଗେ୍ସ । ସେ ଆଜି ମାଆ ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିବେ । ଏହାସହ ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ କରାଯାଇଛି ସେନେଇ ଅନୁଧ୍ୟାନ କରିବେ ବିଲ ଗେଟ୍ସ୍ । କିଟ୍ ଆଉ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଏକ ବୈଠକ କାର୍ଯ୍ୟକ୍ରମ ରହିଛ ।

ଏହାପରେ କୃଷି ଭବନ ପରିଦର୍ଶନ କରିବା ସହ କୃଷି ସମୀକ୍ଷା କେନ୍ଦ୍ର ଯାଇ ଅନୁଧ୍ୟାନ କରିବେ । ବିଲ୍ ଆଣ୍ଡ ମେଲିନ୍ଦା ଗେଟ୍ସ୍ ଫାଉଣ୍ଡେସନର ବୈଷୟିକ ସହଯୋଗରେ ଚାଲିଛି କୃଷି ସମୀକ୍ଷା କେନ୍ଦ୍ର । କୃଷିର ଇଣ୍ଟିଗ୍ରେଟେଡ୍ କମାଣ୍ଡ ସିଷ୍ଟମ ଭାବେ କୃଷି ସମୀକ୍ଷା କେନ୍ଦ୍ର କାମ କରୁଛି । କୃଷି ସମୀକ୍ଷା କେନ୍ଦ୍ର ଜରିଆରେ ଜମି ନଥିବା ଚାଷୀଙ୍କୁ ମଧ୍ୟ ପରାମର୍ଶ ଦିଆଯାଉଛି । ଏହାପରେ ବିଲ୍ ଗେଟସ୍ ମିଶନ ଶକ୍ତି ବଜାର ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି । ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ବିଲ ଗେଟସଙ୍କ ଓଡ଼ିଶା ଗସ୍ତ ଅନେକ ସମ୍ଭାବନା ନେଇଆସିଛି । ବିଶେଷକରି କୃଷି କ୍ଷେତ୍ରରେ ଏଆଇର ପ୍ରଚଳନ ଏବଂ ଜାଗାମିଶନ ଓ ମିଶନ ଶକ୍ତି କ୍ଷେତ୍ରରେ ନୂଆ ଆଶା ସୃଷ୍ଟି ହୋଇଛି ।
ବିଲ୍ ଗେଟସ୍ ନିକ ଓଡ଼ିଶା ଗସ୍ତ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ, ଏହି ଗସ୍ତ ସମୟରେ ସେ ଭାରତରେ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟକଚର(ଡିପିଆଇ) କିଭଳି କାର୍ଯ୍ୟ କରୁଛି ତାହା ଅନୁଧ୍ୟାନ କରିବେ । ଓଡ଼ିଶା ସରକାରଙ୍କ ଏଗ୍ରିକଲଚରାଲ ମନିଟରିଂ ସେଂଟରରେ କିଭଳି ଡିପିଆଇ ମାଧ୍ୟମରେ ଚାଷୀମାନଙ୍କୁ ରିଏଲଟାଇମ୍ ପରାମର୍ଶ ଦିଆଯାଇ ପାରୁଛି ତାହା ଦେଖିବେ । 'ଆଧାର'ର ପ୍ରଶଂସା କରି ସେ କହିଛନ୍ତି ଯେ ପ୍ରାୟ 75 ଲକ୍ଷ ଚାଷୀଙ୍କ ରେକର୍ଡ ରଖିବା ସରକାରଙ୍କ ଦ୍ୱାରା ସମ୍ଭବପର ହୋଇଛି, ଏପରିକି ଯେଉଁ ଚାଷୀମାନଙ୍କ ଜମି ନାହିଁ କି ଚାଷ ନାହିଁ ସେମାନଙ୍କ ତଥ୍ୟ ମଧ୍ୟ ସରକାର ରଖିଛନ୍ତି ବୋଲି ଶ୍ରୀ ଗେଟସ୍ କହିଛନ୍ତି ।
ଆଜି କୃଷି ଭବନ ବୁଲିବାବେଳେ ଏହି ଡିପିଆଇ ମାଧ୍ୟମରେ ଚାଷୀମାନଙ୍କୁ ରାଜ୍ୟ ସରକାର 'କାଳିଆ' ଯୋଜନାରେ ଦେଉଥିବା ସହାୟତା ସମ୍ପର୍କରେ ମଧ୍ୟ ସୂଚନା ଦିଆଯିବ । ଏହାସହିତ ଚାଷୀମାନଙ୍କୁ ନିୟମିତ ଫସଲ ଓ ଚାଷ ସଂକ୍ରାନ୍ତରେ ପାଣିପାଗ ସୂଚନା ଦିଆଯାଉଥିବା ନେଇ ମଧ୍ୟ ବିଲ୍ ଗେଟସକୁ ଅବଗତ କରାଯିବ । କୃଷି ବିଭାଗ ପକ୍ଷରୁ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ତାଙ୍କ ଆଗରେ ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି । ପେଷ୍ଟ ମ୍ୟାନେଜମେଣ୍ଟଠୁ ଆରମ୍ଭ କରି ଏଆଇ ଉପଯୋଗ କରି ଚାଷୀଙ୍କୁ ନିୟମିତ ରିଏଲ ଟାଇମ୍ ଚାଷ ସଂକ୍ରାନ୍ତ ସୂଚନା ପ୍ରଦାନ ସମ୍ପର୍କରେ ମଧ୍ୟ ବିଲ୍ ଗେଟସକୁ ଅବଗତ କରାଯିବ ।
ଏହି ଗସ୍ତ ସମୟରେ ବିଲ୍ ଗେଟସ୍ ରାଜ୍ୟର ଚାଷୀ ଓ କୃଷି ଉଦ୍ୟୋଗୀଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡ଼ିଛି । ରାଜ୍ୟର କିଛି ମହିଳା ଚାଷୀ ଓ ଉଦ୍ୟୋଗୀଙ୍କୁ ବିଲ୍ ଗେଟସ୍ ଏହି ସମୟରେ ଭେଟି ସେମାନଙ୍କର ମତାମତ ନେବେ ବୋଲି ସୂଚନା ମିଳିଛି ।












Click it and Unblock the Notifications