ଗାଁ ମଝିରେ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା
ବ୍ରହ୍ନପୁର: ଗାଁ ମଝିରେ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା । ସ୍ପଷ୍ଟ ଦିବାଲୋକରେ ହୋଇଛି ଏଭଳି ନାରକୀୟ କାଣ୍ଡ । ଏଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଅନ୍ତର୍ଗତ ହରଡ଼ାପଦର ଗାଁରେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗାଁ ମଝିରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ଜଣେ ଦୁବୃର୍ତ୍ତ । ମୃତ ଯୁବକଙ୍କ ନାଁ ସଞ୍ଜୟ ନାୟକ । ତାଙ୍କ ଘର ହରଡ଼ାପଦର ଗାଁରେ ।

ମିଳିଥିବା ସୂଚନା ଅନୁସାରେ, ଦିନ ପ୍ରାୟ 10.30 ବେଳେ ସଞ୍ଜୟ ତାଙ୍କ ଘରକୁ ଯାଉଥିବା ବେଳେ ଗାଁର ସୁରେଶ ଡାକୁଆ ନାମକ ଜଣେ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ଧୀରେ ଧୀରେ ଏହା ଉଗ୍ରରୂପ ନେଇଥିଲା । ସଞ୍ଜୟଙ୍କୁ ଆକ୍ରମଣ କରିଥିଲେ ସୁରେଶ । ସୁରେଶ ତାଙ୍କୁ ଗାଁ ମଝିରେ ସ୍ପଷ୍ଟ ଦିବାଲୋକରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ ।
ଗାଁରେ ଥିବା ଏକ ପୋଖରୀକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ହେବ କନ୍ଦଳ ଲାଗି ରହିଛି । ପୂର୍ବରୁ ଏହି ଘଟଣାକୁ ନେଇ ଗୋଟିଏ ଗୋଷ୍ଠୀ ସୁରେଶଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଗୋଷ୍ଠୀ କନ୍ଦଳ ରୋକିବା ପାଇଁ ଗାଁରେ 7 ଦିନ ପୋଲିସ ପହରା ଦେବା ସହ ଉଭୟ ଗୋଷ୍ଠୀଙ୍କୁ ଡାକି ଆସିକା ତହସିଲଦାର, ବିଡିଓ ଓ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ମିଳିତ ଭାବେ ବୁଝାଇଥିଲେ । କିନ୍ତୁ ପରିସ୍ଥିତି ଶାନ୍ତ ପଡ଼ି ନଥିଲା ।
ଆଜି ସେହି ଘଟଣାକୁ କେନ୍ଦ୍ର କରି ସୁରେଶ ଅପର ଗୋଷ୍ଠୀର ଯୁବକ ସଞ୍ଜୟଙ୍କୁ ହତ୍ୟା କରିଥିବା କୁହାଯାଉଛି । କୋଟିନଡ଼ା ପୋଲିସ ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷରେ ଅଭିଯୁକ୍ତ ସୁରେଶ ଡାକୁଆ କବିସୂର୍ଯ୍ୟନଗର ଥାନାରେ ଆତ୍ମସମର୍ପଣ କରିଥିବା କୋଟିନଡ଼ା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।












Click it and Unblock the Notifications