ଆଜି ମହାଶିବରାତ୍ରୀ, ସକାଳୁ ସକାଳୁ ଚଳଚଞ୍ଚଳ ମନ୍ଦିର
Maha Shivratri 2024: ଆଜି ମହାଶିବରାତ୍ରୀ । ମହାଦେବଙ୍କ ଉପାସନା ଲାଗି ଜାଗର ଜାଳିବେ ଶ୍ରଦ୍ଧାଳୁ । ଦିନ ସାରା ଉପାସରେ ରହିବା ସହ ରାତିରେ ଉଦାଗର ରହି ଦୀପ ଜାଳିବେ ଭକ୍ତ । ରାତିରେ ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ ।
ଏ ନେଇ ସକାଳୁ ସକାଳୁ ଚଳଚଞ୍ଚଳ ଶୈବପୀଠ । ଭକ୍ତମାନେ ମହାଦେବଙ୍କ ଦର୍ଶନ ପାଇଁ ଶିବାଳୟରେ ଭିଡ଼ ଲଗାଇଛନ୍ତି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀ ଲୋକନାଥ ମନ୍ଦିର, ଧବଳେଶ୍ୱର, ଆଖଣ୍ଡଳମଣୀ ପୀଠ, କପିଳାସ ଆଦି ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି ।

ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ମହାଦେବଙ୍କ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିର୍ଦ୍ଧାରିତ ସମୟ ରାତି 10ଟାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହୋଇଛି । ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ପବିତ୍ର ଜାଗରରେ ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ପୂଜକ ସମିତି ପକ୍ଷରୁ ଭୋର ଚାରିଟା ରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯାଇଛି। ଏହାପରେ କେତକୀ ଫୁଲରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର ।
ଅପରାହ୍ନରେ ଚାରି ପ୍ରହର ପୂଜା କରାଯାଇ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗ ଲାଗି କରାଯିବ । ଏହାପରେ ବେଢ଼ା ପରିକ୍ରମା କରାଯିବା ସହିତ ରାତ୍ର ଗୋଟାଏରେ ଉଠିବ ମହାଦୀପ । ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।
ଭୁବନେଶ୍ୱରରେ କମିସନରେଟ୍ ପୋଲିସ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । 4 ଟି ସିଫ୍ଟରେ ପୋଲିସ ସମ୍ପୂର୍ଣ୍ଣ ସ୍ଥାନ ଜଗିବେ । 5 ଅତିରିକ୍ତ ଡିସିପି, 14 ଏସିପି, 21ଜଣ ଆଇଆଇସି, 84 ଜଣ ଏସ୍ଆଇ ଓ ଏଏସଆଇ ଓ 93 ସେକ୍ସନ୍ ଫୋର୍ସଙ୍କ ଉପରେ ରହିବ ଜାଗର ସୁରକ୍ଷା ବ୍ୟବସ୍ଥା ।
କିମ୍ବଦନ୍ତୀ ରହିଛି ଯେ, ସାରା ସଂସାରର ରକ୍ଷା ଲାଗି ବିଷପାନ କରିଥିଲେ ମହାଦେବ । ଭଗବାନଙ୍କ ଜୀବନ ରକ୍ଷା ଲାଗି ସାରା ବିଶ୍ୱ ଦୀପ ଜାଳି ଜାଗର ରହିଥିଲେ ।












Click it and Unblock the Notifications