ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ପଶୁବଳିରେ ରକ୍ତରଞ୍ଜିତ ହେଲା ରାଜପଥ
କଳାହାଣ୍ଡି: ଭବାନୀପାଟଣାରେ ଇଷ୍ଟଦେବୀ ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଚଳଚଞ୍ଚଳ ହୋଇ ଉଠିଛି ପୁରା କଳାହାଣ୍ଡି ସହର । ମାଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଛତରକୁ ଜେନା ଖାଲରୁ ପୀଠକୁ ପାଛୋଟି ଆଣୁଛନ୍ତି ।

ଭବାନୀପାଟଣା ସହର ପଶ୍ଚିମ ଉପକଣ୍ଠରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମାଣିକେଶ୍ୱରୀଙ୍କ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ସାରି ମନ୍ଦିର ଅଭିମୁଖେ ବାହାରିଛି ମା'ଙ୍କ ବିଜୟ ପ୍ରତିମା ଛତର । ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିଛନ୍ତି । ଏହି ଅବସରରେ ଶାନ୍ତିର ପ୍ରତୀକ ଭାବେ ଶହ ଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳିଛି । ଜେନା ବାଦ୍ୟ ଓ ବୀର ବାଦ୍ୟ ଘୁମୁରା ତାଳେ ତାଳେ ମା'ଙ୍କୁ ପାଛୋଟି ନେଉଛନ୍ତି ଶ୍ରଦ୍ଧାଳୁ । ମାଣିକେଶ୍ବରୀଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଜେନାଖାଲଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହୋଇଛି ।
ମା' ମାଣିକେଶ୍ବରୀଙ୍କ ପାଖରେ ବଳି ଦିଆଯିବା ଏକ ସ୍ବତନ୍ତ୍ର ପରମ୍ପରା ରହିଛି । ମା'ଙ୍କ ରୀତିନୀତି ଅନୁଯାୟୀ ହଜାର ହଜାର ବର୍ଷ ଧରି ଏହି ଯାତ୍ରାକୁ ପାଳନ କରି ଆସୁଛନ୍ତି କଳାହାଣ୍ଡିବାସୀ । ସେପଟେ ମା'ଙ୍କ ବିଜୟ ପ୍ରତିମା ଛତର ବାହାରିବା ପରେ ମାନସିକ ଧାରି ବୋଦା ଓ କୁକୁଡ଼ା ଆଦି ବଳି ଆରମ୍ଭ ହୋଇ ସାରିଛି । ଶ୍ରଦ୍ଧାଳୁମାନେ ନିଜର ମାନସିକ ପୂରଣ ଲାଗି ବଳି ଦେଇଥିବା ଜଣାଯାଇଛି ।
ରବିବାର ଭୋର 5 ଟାରେ ମା' ମାଣିକେଶ୍ବରୀଙ୍କ ଛତର ମନ୍ଦିରରୁ ବାହାରି ଜେନାଖାଲରେ ପହଞ୍ଚିଥିଲା । ସେଠାରେ ପୂଜାର୍ଚ୍ଚନା ଓ ଗୁପ୍ତ ରୀତିନୀତି ପରେ ଭୋରରେ ମା'ଙ୍କ ଛତର ବିଜୟ ଯାତ୍ରା ଆରମ୍ଭ ହୋଇଥିଲା । ମାଣିକେଶ୍ୱରୀ ମନ୍ଦିରରେ ଛତର ପହଞ୍ଚିଥିବା ପରେ ସେଠାରେ କଳାହାଣ୍ତି ମହାରାଜା ଉଦିତ ପ୍ରତାପ ଦେଓ, ଯୁବରାଜ ଅନନ୍ତ ପ୍ରତାପ ଦେଓ ଓ ପରିବାର ଛତରକୁ ସ୍ୱାଗତ କରି ମନ୍ଦିରକୁ ପାଛୋଟି ନେଇଥିଲେ । ଛତରଯାତ୍ରାରେ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ନିଜ ମାନସିକ ପାଇଁ ପାରା ଉଡ଼ାଇବା ସହିତ ପ୍ରାୟ 4 କିମି ଅଧିକ ରାସ୍ତାରେ ବୋଦା, କୁକୁଡ଼ା, ବଳି ଦେଇଥିଲେ । ସୁରକ୍ଷା ଦୃଷ୍ଟିରୁ 12 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି ।












Click it and Unblock the Notifications