ଦାନା ବାନ୍ଧୁଛି ଲଘୁଚାପ, ଓଡ଼ିଶାକୁ ବଡ଼ ବର୍ଷା ଆଶଙ୍କା
ଭୁବନେଶ୍ୱର: ଶୀତ ମଧ୍ୟରେ ଆସୁଛି ବର୍ଷା । ଦାନା ବାନ୍ଧୁଛି ଲଘୁଚାପ । ଏହା ପ୍ରଭାବରେ ଓଡ଼ିଶାକୁ ରହିଛି ବଡ଼ ବର୍ଷା ଆଶଙ୍କା । ଆସନ୍ତା 14 ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୁତ ହେବା ନେଇ ପାଗ ଅନୁକୁଳ ରହିଛି । ଏହା ପ୍ରଭାବରେ 16 ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ମଧ୍ୟମ ଧରଣର ବର୍ଷା ହେବ । ଉପକୂଳ ଓଡିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡ଼ରେ ହାଲୁକା ବର୍ଷା ହେବା ନେଇ ଆକଳନ କରାଯାଇଛି ।
16,17, ଓ 18 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବ । ତେଣୁ ଅମଳ ଯୋଗ୍ୟ ହୋଇଥିବା ଧାନକୁ ଚାଷୀ ଯଥା ସମ୍ଭବ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି । ଯେଉଁଠି ଧାନ ଗଛ ଗୁଡିକ ଠିଆ ହୋଇ ରହିଛି ସେହି ବିଲରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି ।
ଲଘୁଚାପର ପ୍ରଭାବ କେଉଁ ଜିଲ୍ଲାରେ କେତେ ରହିବ ଓ ଏହାର ତୀବ୍ରତା କେତେ ରହିବ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ନେଇ ସ୍ପଷ୍ଟ ସୂଚନା ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ସେପଟେ ଓଡ଼ିଶାକୁ ପ୍ରବେଶ କରିବ ଗରମ ଶୁଷ୍କ ପବନ । ଫଳରେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ 3-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଏବେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ପ୍ରଭାବରେ ସ୍ୱାଭାବିକ ଠାରୁ 2-3 ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ ।












Click it and Unblock the Notifications