ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ, ଆଜି ଠାରୁ ବଢିବ ବର୍ଷାର ପରିମାଣ
ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ 7.6 କିମି ଉଚ୍ଚତା ଯାଏଁ ବ୍ୟାପିଛି ।

ସାରା ରାଜ୍ୟରେ ମୌସୁମୀ ପ୍ରବେଶ କରିବା ପରେ ବର୍ଷା ଲାଗି ରହିଥିବା ବେଳେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜିଠାରୁ (ରବିବାର) ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥିତିକୁ ଦେଖି ବିଭିନ୍ନ ଜିଲ୍ଳାକୁ ବର୍ଷା ଜନିତ ସତର୍କ ସୂଚନା ଜାରି କରାଯାଇଛି । ଅନ୍ୟପଟେ ଓଡିଶାକୁ ମୌସୁମୀ ବାୟୁ ପ୍ରବେଶ କରି ସାରିଥିବାବେଳେ ବଙ୍ଗୋପସାଗରରେ ଆସୁଥିବା ଲଘୁଚାପ ଏହାକୁ ଆହୁରି ସକ୍ରିୟ କରିବ ।
ଅପରପକ୍ଷରେ ସାରା ଓଡ଼ିଶାରେ ଅଗ୍ରସର ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ସାରା ରାଜ୍ୟରେ କୋହଲା ପାଗ ରହିବା ସହ ବର୍ଷା ଲାଗି ରହିଛି । ଏପରିକି ଆଗାମୀ 4 ଦିନ ଯାଏଁ ଏପରି ବର୍ଷା ଲାଗି ରହିବ । ଏ ନେଇ ଆକଳ କରିଛି ପାଣିପାଗ ବିଭାଗ ।
ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ବର୍ଷା ଜାରି ରହିବ ବୋଲି ଅନୁମାନ କରାଯାଉଛି । ଏ ନେଇ 19 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ସୁବର୍ଣ୍ଣପୁର, ସମ୍ବଲପୁର, ବାଲେଶ୍ୱର, ନୟାଗଡ଼, ଅନୁଗୁଳ, କନ୍ଧମାଳ, ଭଦ୍ରକ, ପୁରୀ, ବୌଦ୍ଧ, ଦେବଗଡ଼,କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
28 ତାରିଖରେ ବି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଲାଗିରହିବ । ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ସହ ବର୍ଷା ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଲଘୁଚାପ ଯୋଗୁଁ 25-27 ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି 45-55 କିମି ବେଗରେ ପବନ ବହିବ । ତେଣୁ ମତ୍ସ୍ୟଜୀବୀମାନେ ସମ୍ପୃକ୍ତ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications