ବଢିଲା ସୌରୀନ ଭଟ୍ଟଙ୍କ ଅଡ଼ୁଆ, ଜାରି ହେଲା ଲୁକ୍ ଆଉଟ୍ ନୋଟିସ୍
କଟକ: ବଢିଲା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡ଼ୁଆ । ତାଙ୍କ ନାଁରେ ଜାରି ହୋଇଛି ଲୁକ୍ ଆଉଟ୍ ନୋଟିସ୍ । ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ କିଛିଦିନ ତଳେ ହାଇକୋର୍ଟ ଖାରଜ କରିଦେଇଇଥଲେ । ଏହା ପରେ କମିଶନରେଟ ପୋଲିସ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ।
ମିଳିଥିବା ସୂଚନା ମୁତାବକ ସୌରୀନଙ୍କୁ ଖୋଜିବାକୁ ପୋଲିସ ଟିମ କୋଲକାତା ଯାଇଥିଲା । ହେଲେ ପୋଲିସ ଟିମ୍ ସୌରୀନଙ୍କୁ ନ ପାଇ ଖାଲି ହାତରେ ଫେରିଥିଲା । କୋଲକାତାର ତିନୋଟି ସ୍ଥାନରେ ସୌରୀନଙ୍କୁ ଖୋଜିବାକୁ ପୋଲିସ ପ୍ରୟାସ କରିଥିବାବେଳେ ସଫଳ ହୋଇନଥିଲା ।

ଉଲ୍ଲେଖ ଥାଉ କି ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରୀନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା । ପୋଲିସ ମାମଲା ରୁଜୁ କରି ଜୁନ 21 ରେ କୋଲକାତା ସହରର ବାଲିଗଞ୍ଜ ଥାନା ଅଞ୍ଚଳରେ ଥିବା ସୌରୀନଙ୍କ ଘରେ ଚଢ଼ଉ କରିଥିଲା । ଜୁନ 26 ରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ସୌରିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ ।
ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇବା ପରେ ସୌରୀନ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ । ତେବେ ଅଗଷ୍ଟ 26 ରେ ପୁଣି ହାଇକୋର୍ଟ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିଲା । ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୌରିନଙ୍କ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ କେସ୍ ଡାଏରି ଦାଖଲ କରାଯିବା ସହିତ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିଲା । ଏଥି ସହିତ ସିଆରପିସିର ଧାରା 164 ରେ ରେକର୍ଡ କରାଯାଇଥିବା ପୀଡିତାଙ୍କ ବୟାନର କପି ହାଇକୋର୍ଟରେ ଦାଖଲ କରାଯାଇଥିଲା । ତଦନ୍ତ ସମୟରେ ସୌରିନ ପୋଲିସ ନିକଟରେ ହାଜର ହୋଇଥିବା ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଅଗଷ୍ଟ 30 ରେ ନିଜ ରାୟରେ ଜାମିନ ଆବେଦନକୁ ଖାରଜ କରିଥିଲେ । ଏହାପରେ ତାଙ୍କୁ ଖୋଜିବାକୁ ପୋଲିସ ଟିମ କୋଲକାତା ଯାଇଥିଲା । କିନ୍ତୁ ତାଙ୍କୁ ପାଇନଥିଲେ ।












Click it and Unblock the Notifications