ଆଫ୍ରିକୀୟ ସିଂହଶୂନ୍ୟ ହେଲା ନନ୍ଦନକାନନ, ଆଖି ବୁଜିଲା ଏକ ମାତ୍ର ସିଂହୀ ‘ବିନି'
ଭୁବନେଶ୍ୱର: ନନ୍ଦନକାନନରେ ଆଉ ଶୁଭିବନି ଆଫ୍ରିକୀୟ ସିଂହୀର ଗର୍ଜନ । ଏକମାତ୍ର ଆଫ୍ରିକୀୟ ସିଂହୀର ମୃତ୍ୟୁ ହୋଇଛି । 18 ବର୍ଷୀୟା ସିଂହୀ ବିନିର ମୃତ୍ୟୁ ହୋଇଛି । ବାର୍ଦ୍ଧକ୍ୟଜନୀତ କାରଣରୁ ସେ ଅସୁସ୍ଥ ଥିଲା । ବିନିର ମୃତ୍ୟୁ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା 21 କୁ ଖସିଆସିଛି ।
ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରୁ ତା'ର ମୃତ୍ୟୁ ହୋଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବିନିର ମୃତ୍ୟୂ ପରେ ଏଣିକି ଆଉ ନନ୍ଦନକାନନରେ ଆଫ୍ରିକୀୟ ସିଂହ ଦେଖିବାକୁ ମିଳିବ ନାହିଁ ।

2015 ମସିହାରେ ବିନିକୁ ଇସ୍ରାଏଲରୁ ଅଣାଯାଇଥିଲା । 2007 ଜାନୁଆରି 1 ଜନ୍ମ ନେଇଥିବା ବିନିକୁ ସେତେବେଳେ 8 ବର୍ଷ ବୟସ ହୋଇଥିଲା । ସେତେବେଳେ ବିନି ସମେତ 4ଟି ସିଂହ ଓ 4ଟି ଜେବ୍ରା ମଧ୍ୟ ଆସିଥିଲେ । କିନ୍ତୁ କାଳକ୍ରମେ ଆଫ୍ରିକୀୟ ସିଂହ ଓ ଜେବ୍ରାଙ୍କ ମୃତ୍ୟୁ ହୋଇଥିଲା । ଶେଷକୁ ବିନି ହିଁ ଏକମାତ୍ର ଆଫ୍ରିକୀୟ ସିଂହୀ ଥିଲା ।
ବାର୍ଦ୍ଧକ୍ୟ ହେତୁ ବିନିର ଅଧିକାଂଶ ଦାନ୍ତ ଝଡ଼ି ପଡ଼ିଥିଲା ଏବଂ ଭଲରେ ଖିଆପିଆ ନ କରିପାରି ସେ ଧୀରେଧୀରେ ଦୁର୍ବଳ ହୋଇପଡ଼ିଥିଲା । ତାକୁ 29 ନମ୍ବର ଖୁଆଡ଼ର ଖାଦ୍ୟ ଗ୍ରହଣ କକ୍ଷରେ ରଖି ଚିକିତ୍ସା କରାଯାଉଥିଲା । ସ୍ୱାସ୍ଥ୍ୟ କମିଟିର ବିଶେଷଜ୍ଞମାନେ ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ । ତାକୁ କୁକୁଡା ମାଂସ ଗୁଣ୍ଡ କରି ଖାଇବାକୁ ଦିଆଯାଉଥିଲା ଏବଂ ଅଣ୍ଡାରେ ମିଶାଇ ବିଭିନ୍ନ ଔଷଧ ଦିଆଯାଉଥିଲା । ବିନିର ମୃତ୍ୟୁ ପରେ ଏବେ ନନ୍ଦନକାନନରେ14 ଟି ଏସୀୟ (8 ସିଂହ ଓ 6 ସିଂହୀ) ଓ 7ଟି ବର୍ଣ୍ଣଶଙ୍କର ( 4ସିଂହ ଓ ୩ ସିଂହୀ)ଙ୍କୁ ମିଶାଇ ମୋଟ 21 ଟି ସିଂହ ଅଛନ୍ତି ।












Click it and Unblock the Notifications