ତିନି ଦିନ ହେଲା ଉପବାସରେ ପ୍ରଭୁ ଲିଙ୍ଗରାଜ, କାହିଁକି ବନ୍ଦ ରହିଛି ନୀତିକାନ୍ତି
ଭୁବନେଶ୍ୱର: ତିନି ଦିନ ହେଲା ଉପବାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ସେବାୟତଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ପାଇଁ ଉପବାସରେ ରହିଛନ୍ତି ଲିଙ୍ଗରାଜ । ଏହାକୁ ନେଇ ବ୍ୟଥିତ ଶ୍ରଦ୍ଧାଳୁ ।
ସେପଟେ ଲିଙ୍ଗରାଜ ମନ୍ଦିରରେ ନୀତି କରୁନଥିବା ପାଳିତ ସେବକଙ୍କୁ ଦେବୋତ୍ତର କମିଶନରଙ୍କ ବ୍ୟକ୍ତି ଗତ ଚିଠି ଜାରି କରାଯାଇଛି । ନିଜ ପାଳି ନ କରିବେ ତେବେ ସେଇ ପାଳିଆଙ୍କ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି ।

ଏଥି ମଧ୍ୟରେ ଆସନ୍ତା କାଲି ଗ୍ରହଣ ଏବଂ କାର୍ତ୍ତିକ ମାସ ଆରମ୍ଭ ହୋଇ ଥିବାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ନିୟମିତ କରିବା ପାଇଁ ଦେବତ୍ତୋର କମିଶନର କହିଛନ୍ତି । ଯେଉଁ ପାଳିଆ ସେବକ ନୀତିକାନ୍ତି କରୁନାହାଁନ୍ତି ସେଇ ପାଳିଆ ସେବକଙ୍କୁ ଦେବୋତ୍ତର କମିସନର କାରଣ ଦର୍ଶାଅ ନୋଟିସ୍ କରିଛନ୍ତି । ଆସନ୍ତା କାଲି ଗ୍ରହଣ ପଡୁଛି ତେଣୁ ସନ୍ଧ୍ୟା 4 ସୁଦ୍ଧା ନୀତି କାନ୍ତି ନହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେବୋତ୍ତର କମିସନର । ଆଜି ଏନେଇ ନିର୍ଦ୍ଦିଷ୍ଟ ପାଳିଆ ସେବକ ନିଯୋଗର ସଭାପତି, ସମ୍ପାଦକ ଙ୍କୁ ନେଇ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ବୈଠକ ବସିବାର ଅଛି । ବୈଠକରେ ନିଷ୍କର୍ସ ବାହାରିବା ନେଇ ଆଶା କରାଯାଉଛି ।
ଲିଙ୍ଗରାଜଙ୍କ 2 ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଦୋକାନଘର ନିର୍ମାଣ କରାଯାଉଛି । ଆଉ ଏହାକୁ ବିରୋଧ କରି ଲିଙ୍ଗରାଜଙ୍କ ସେବା କରୁନାହାଁନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ତେବେ ଭକ୍ତଙ୍କ ପାଇଁ ସାହାଣମେଲା ଖୋଲା ରହିଥିଲେ ବି ଦେବ ନୀତି ବନ୍ଦ ରହିଛି । ଅନ୍ୟପଟେ ସେବାୟତଙ୍କ ମଧ୍ୟରେ ବିବାଦ ଓ ସମନ୍ୱୟ ଅଭାବରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ଆଜି ହେବାକୁ ଥିବା ସ୍ୱତନ୍ତ୍ର ବୈଠକରେ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଛି ।
ମହାପ୍ରଭୁଙ୍କୁ ଉପାସରେ ଦେଖି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଏହାକୁ ନେଇ ସେବାୟତଙ୍କ ଉପରେ ବର୍ଷିଛନ୍ତି । କଥା କଥାକେ ଏପରି ପ୍ରଭୁଙ୍କ ନୀତିକାନ୍ତି ବନ୍ଦ କରିବା ଠିକ ନୁହେଁ ବୋଲି କହିଛନ୍ତି ।












Click it and Unblock the Notifications