ଏ ଜୀବନେ ମୋ ଜୀବନେ.... ସ୍ମୃତି ରେ ଓଡ଼ିଆ ସଙ୍ଗୀତର ବେତାଜ ବାଦଶାହା ଖୋକା ଭାଇ....

ଖୋକା ଭାଇ... ଏହି ନାଁ ଟି ଶୁଣିଲେ ଆଜି ବି ମାନସପଟରେ ଆସିଯାଏ ଷାଠିଏ ସତୁରୀ ଦଶକର ସଙ୍ଗୀତ । ମନରେ ଗୁଣୁଗୁଣେଇ ହୁଅନ୍ତି ସେ ଅବେଗଭରା ମନଛୁଆଁ ଗୀତ । ଯାଯାବର, ଯାରେ ମେଘ ଭାସି ଯା, ହେ ଫଗୁଣ ତୁମେ ଗଲା ପରେ ପରେ, ପୁଣ୍ୟର ନଦୀ ତିରେ, ସ୍ମୃତି ତୁମେ ପାଉଁଶ ତଳର ନିଆଁ, ବୟସର କୃଷ୍ଣଚୂଡା, ନଦୀର ନାମ ଅଳସ କନ୍ୟା, ଏ ଜୀବନେ ମୋ ଜୀବନେ, ରଜା ଝିଅ ସଙ୍ଗେ କରିଥିଲି ଭାବ.... ଏମିତି କେତେ ଯେ ଗୀତ ।

ଏହି ଗୀତ ସବୁ ଶୁଣୁଶୁଣୁ ଆଖି ଆଗରେ ଆସିଯାଏ ଜଣକ ମୁହଁ ଅକ୍ଷୟ ମହାନ୍ତି । ଓଡ଼ିଶାବାସୀଙ୍କ ମନରେ ନିଜର ଏକ ଅଭୁଲା ଛାପ ଛାଡ଼ିଯାଇଥିବା ଅତି ପ୍ରିୟ ବ୍ୟକ୍ତି । ଖୋକା ଭାଇ... କହିଲେ ମନରେ ଆସିଯାଏ ଓଡ଼ିଶା ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ, ବେତାଜ ବାଦଶାହା । ଓଡ଼ିଆ ମାଟିର କଥା, ଗୀତ ଓ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ । ଷାଠିଏ ସତୁରୀ ଦଶକରେ ସଂଗୀତ ଜଗତର ଅକ୍ଷୟ କୀର୍ତ୍ତି ।

 Akshaya Mohanty

ଅକ୍ଷୟ ମହାନ୍ତି, କେବଳ ଗୋଟେ ନାଁ ନୁହେଁ, ଗୋଟେ ଆବେଗ, ଗୋଟେ ଆକର୍ଷଣ, ହୃଦୟର ଶୂନ୍ୟତାରୁ ଆପେଆପେ ଶୁଭୁଥିବା ଗୋଟେ ସୁମଧୁର ସଙ୍ଗୀତ । ସମସ୍ତଙ୍କ ପ୍ରିୟ ଅକ୍ଷୟ ମହାନ୍ତି, ଆଦରର 'ଖୋକା ଭାଇ' ଙ୍କ ଜନ୍ମ ଜୟନ୍ତୀ ।

1936 ମସିହାର ଆଜିର ଦିନରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଅକ୍ଷୟ ମହାନ୍ତି । ଷ୍ଟୁଆର୍ଟ କଲେଜରୁ ଯୁକ୍ତ ଦୁଇ ଶିକ୍ଷା ଆରମ୍ଭ କରିଥିଲେ ଅକ୍ଷୟ । ପରେ ରେଭେନ୍ସା ମହାବିଦ୍ୟାଳୟରେ ଏମଏ ପଢିଥିଲେ । ଏହାପରେ ସେ ମଧୁସୂଦନ ଲ କଲେଜରୁ ନିଜ ଆଇନ ଶିକ୍ଷା ମଧ୍ୟ ଶେଷ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ 1948 ମସିହାରେ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଶିଶୁ ଶିଳ୍ପୀ ଭାବେ ସାମିଲ ହୋଇଥିଲେ । ଏଇଠୁ ଆରମ୍ଭ ହୋଇଥିଲା ଅକ୍ଷୟଙ୍କ ସଙ୍ଗୀତ ଅଭିଯାନ, ଅକ୍ଷୟ ଯୁଗ...

ସଙ୍ଗୀତ ଜହତରେ ଆଣିଥିଲେ ଅଭୂତପୂର୍ବ ପରିବର୍ତ୍ତନ । ସଙ୍ଗୀତ ପ୍ରେମୀଙ୍କ ପରଷିଥିଲେ ଅନେକ ଆବେଗ ଭରା ଗୀତ । ଓଡିଶାର ଗୀତ, ଓଡିଆଙ୍କ ଚାଲିଚଳଣି, ଲୋକକଥା, ହାବଭାବ, ଗାଁ ମାଟିର ମହକକୁ ନେଇ ଥିଲା ତାଙ୍କ ଗୀତକବିତା । ନୂଆ ନୂଆ ପ୍ରେମରେ ପଡ଼ିଥିବା ଯୁବକ ଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଆକର୍ଷିତ କରୁଥିଲା ଖୋକା ଭାଇଙ୍କ ଗୀତ ।

ଆଜି ଆମ ଗହଣରେ ଅକ୍ଷୟ ମହାନ୍ତି ସିନା ନାହାଁନ୍ତି ହେଲେ ଏବେବି ହୃଦୟ ଯେବେ ଭାଙ୍ଗିଯାଏ, ଛାତି ଭିତରେ ଯେବେ ଏକଲାପଣ ରାଜୁତି କରେ ସେବେ ଆପେଆପେ ଓଠରୁ ବାହାରି ଆସେ ହୃଦୟର ଏହି ଶୂନ୍ୟତା ଗୀତ...

ସଙ୍ଗୀତର ଶବ୍ଦ ସଂଯୋଜନାରେ ସେ ଥିଲେ ସିଦ୍ଧହସ୍ତ । ଚା ବାଲାର ଭାଷା, ରିକ୍ସାବାଲାର ଭାବ, ଛକରେ ସୁନ୍ଦରୀ ଅପେକ୍ଷାରେ ଥିବା କଲେଜ ପଢୁଆ ପିଲାଙ୍କ ମନକୁ ପାଇଲା ପରି ଅତି ଚତୁରତାର ସହ ସେ ସଙ୍ଗୀତ କରୁଥିଲେ । ଗୀତ ରଚନା ହେଉ କି କଣ୍ଠଦାନ ସବୁଥିରେ ସେ ଥିଲେ ପାରଙ୍ଗମ । 75 ରୁ ଅଧିକ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଅକ୍ଷୟ ଅଧିକାଂଶ ସିନେମାରେ ନିଜ କଣ୍ଠର ଯାଦୁଗରୀ ମଧ୍ୟ ଦେଖାଇଛନ୍ତି । ଯାଯାବର, ଯାରେ ମେଘ ଭାସି ଯା, ହେ ଫଗୁଣ ତୁମେ ଗଲା ପରେ ପରେ, ପୁଣ୍ୟର ନଦୀ ତିରେ, ସ୍ମୃତି ତୁମେ ପାଉଁଶ ତଳର ନିଆଁ, ବୟସର କୃଷ୍ଣଚୂଡା, ନଦୀର ନାମ ଅଳସ କନ୍ୟା ଆଦି ଅନେକ ଗୀତର ସେ ହେଉଛନ୍ତି ସ୍ରଷ୍ଠା । ଯାହା ଆଜି ବି ଶ୍ରୋତାଙ୍କ ମନକୁ ଛୁଇଁ ପାରୁଛି ।

ଏବେବି ପ୍ରେମିକ ଟିଏ ଗୋଟେ ଅଜଣା ପ୍ରେମିକରର ଚାହାଣୀରେ ଚୋରି ହୋଇଗଲେ କି ତା ହସର ହାଟରେ ହଜିଗଲେ ମନେମନେ ଗାଏ ଚନ୍ଦ୍ରମଲ୍ଲୀର ଗୀତ... ଅକ୍ଷୟ ସିନା ଚାଲିଯାଇଛନ୍ତି ହେଲେ ତାଙ୍କ ସଙ୍ଗୀତର ଛାପ ସମସ୍ତଙ୍କ ହୃଦୟରେ ଛାଡିଯାଇଛନ୍ତି ।

ଓଡ଼ିଆ ଜାତିର ଅତି ପ୍ରିୟ ଖୋକା ଭାଇଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ୱାନ୍ ଇଣ୍ଡିଆ ଓଡ଼ିଆ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+