ରାଜଧାନୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ରାଗିଂ ଅଭିଯୋଗ, ଆଇନ୍ ଛାତ୍ରୀଙ୍କୁ ନିର୍ଯ୍ୟାତନା
ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ବଢି ଚାଲିଛି ରାଗିଂ । ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । କେବେ ମେଡିକାଲ କଲେଜ ତ ଆଉ କେବେ ଘରୋଇ ଶିକ୍ଷାନୁଷ୍ଠାନରେ ରାଗିଂ ଅଭିଯୋଗ ଆସୁଛି । ଏଥି ମଧ୍ୟରେ ରାଜଧାନୀରେ ଏକ ଘରୋଇ ବିଶ୍ୱବିଦ୍ୟାଳୟର ଜଣେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ରାଗିଂ କରାଯାଇଛି । ଏ ନେଇ ଜଣେ ଆଇନ୍ ଛାତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ଘରୋଇ ବିଶ୍ୱବିଦ୍ୟାଳୟର ଜଣେ ପ୍ରଥମ ବର୍ଷ ଆଇନ୍ ଛାତ୍ରୀଙ୍କୁ, ତିନିଜଣ ସିନିୟର ଛାତ୍ରୀ ମାଡ଼ ମାରିଥିବା ଏବଂ ଏଥିରେ ତାଙ୍କ ହାତର ସଫ୍ଟ ଟିସୁ ଫ୍ରାକ୍ଚର ହୋଇଛି । ଏ ନେଇ ଛାତ୍ରୀ ଜଣକ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ପାଇ ନଥିବାରୁ ପରିବାର ସହ ଏନେଇ ଭରତପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଭରତପୁର ଥାନା ପୋଲିସ ମାମଲା ରୁଜୁ କରିଛି । ତିନି ଛାତ୍ରଙ୍କ ବିରୋଧରେ ଦଫା 341, 323 ଓ 34 ରେ ମାମଲା ରୁଜୁ କରିଛି ପୋଲିସ ।
ଏ ସମ୍ପର୍କରେ ପୀଡ଼ିତା ଛାତ୍ରୀ ବିଶ୍ବବିଦ୍ୟାଳୟ ଶୃଙ୍ଖଳା କମିଟି ଆଗରେ ଅଭିଯୋଗ କରିଛନ୍ତି । ତଦନ୍ତ ପରେ ବିଶ୍ୱବିଦ୍ୟାଳୟର ଶୃଙ୍ଖଳା କମିଟି ଆଗରେ ହାଜର ହେବା ପାଇଁ କୁହାଯାଇଥିଲା । କିନ୍ତୁ ଶୃଙ୍ଖଳା କମିଟି ଆଗରେ ତିନି ଜଣ ସିନିୟର ଛାତ୍ରୀ ହାଜର ହୋଇନଥିଲେ । ଫଳରେ ମାଡ଼ ଖାଇଥିବା ଆଇନ ଛାତ୍ରୀ ଥାନାରେ ଏତଲା ଦାୟର କରିଛନ୍ତି ।
ରାଗିଂ ଏବଂ ବିଭିନ୍ନ କାରଣ ପାଇଁ ବାରମ୍ବାର ନିର୍ଯାତନା ଲାଗି ଛାତ୍ରୀ ଜଣଙ୍କ ପ୍ରଥମ ସେମିଷ୍ଟର ଦେଇ ପାରିନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ଘଟଣା ସଂପର୍କରେ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ସତ୍ତ୍ୱେ ଏପର୍ଯ୍ୟନ୍ତ ନ୍ୟାୟ ନମିଳିବାରୁ ବିଶ୍ୱବିଦ୍ୟାଳୟ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ଏନେଇ ସଂପୃକ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।












Click it and Unblock the Notifications