ପାର୍ଟି ହାଇକମାଣ୍ଡ ଉପରେ ନାରାଜ ଅହମ୍ମଦ ପଟେଲଙ୍କ ପୁଅ ଫୈସଲ, ଛାଡ଼ି ପାରନ୍ତି କଂଗ୍ରେସ
କଂଗ୍ରେସର ପ୍ରଥମ ପରିବାରର ନିକଟତମ ତଥା ଦଳର ଚାଣକ୍ୟ ଭାବେ ପରିଚିତ ଅହମ୍ମଦ ପଟେଲଙ୍କ ପୁଅ ଫୈସଲ ପଟେଲ କଂଗ୍ରେସ ହାଇକମାଣ୍ଡକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ନୂଆଦିଲ୍ଲୀ : କଂଗ୍ରେସର ପ୍ରଥମ ପରିବାରର ନିକଟତମ ତଥା ଦଳର ଚାଣକ୍ୟ ଭାବେ ପରିଚିତ ଅହମ୍ମଦ ପଟେଲଙ୍କ ପୁଅ ଫୈସଲ ପଟେଲ କଂଗ୍ରେସ ହାଇକମାଣ୍ଡକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗୁଜୁରାଟ ନିର୍ବାଚନ ପୂର୍ବରୁ ସେ ଏକ ଟ୍ୱିଟ୍ କରି କଂଗ୍ରେସର ସମସ୍ୟାକୁ ଆହୁରି ଜଟିଳ କରିଦେଇଛନ୍ତି ।
ଅହମ୍ମଦ ପଟେଲ ଗୁଜୁରାଟର ଭାରୁଚ ଜିଲ୍ଲାର ଥିଲେ ଏବଂ ଯଦି ତାଙ୍କ ପୁଅ କଂଗ୍ରେସ ବ୍ୟତୀତ ଅନ୍ୟ ଏକ ବିକଳ୍ପ ଖୋଜନ୍ତି, ତେବେ ଗୁଜୁରାଟରେ ମଧ୍ୟ କଂଗ୍ରେସ ପାଇଁ ଏକ ନୂଆ ଟେନସନ ଆରମ୍ଭ ହୋଇପାରେ । ଯାହା ହେଉ, ଗୁଜୁରାଟରେ ଆମ୍ ଆଦମୀ ପାର୍ଟି ଯେପରି ନିଜର ପତିଆରା ବଢାଉଛି, ତାହା କଂଗ୍ରେସ ପାଇଁ ଏକ ବଡ ଆହ୍ୱାନ ପାଲଟିଛି ।

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ରାଜନୈତିକ ସଚିବ ଥିବା ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପୁଅ ଫୈସଲ ପଟେଲ ଦଳର ହାଇକମାଣ୍ଡକୁ ନେଇ ନିରାଶ ବ୍ୟକ୍ତ କରିଛନ୍ତି । ମଙ୍ଗଳବାର ଦିନ ସେ ଏକ ଟ୍ୱିଟ୍ କରିଛନ୍ତି, ଯାହା ଗୁଜରାଟ ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏକ ବଡ଼ ଧରଣର ସଙ୍କେତ ଅଟେ । ସେ କହିଛନ୍ତି ଯେ "ଅପେକ୍ଷା କରି କରି ଥକି ଯାଇଛି । ହାଇକମାଣ୍ଡ ସାହାଯ୍ୟ କରୁନାହାଁନ୍ତି । ମୁଁ ମୋ ବିକଳ୍ପ ଖୋଲା ରଖିଛି ।"
Tired of waiting around. No encouragement from the top brass. Keeping my options open
— Faisal Patel (@mfaisalpatel) April 5, 2022
ଆପଣଙ୍କୁ କହି ରଖୁଛୁ 2020 ରେ ଦେହାନ୍ତ ହୋଇଥିବା ଅହମ୍ମଦ ପଟେଲ ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କ ପରେ ଦୀର୍ଘ ଦିନ ଧରି ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନେତା ଥିଲେ । ଗାନ୍ଧୀ ପରିବାର ବ୍ୟତୀତ ସେ ଦଳର ଏକମାତ୍ର ବ୍ୟକ୍ତି ଥିଲେ, ଯାହାର ଇସାରା ବିନା କଂଗ୍ରେସରେ କୌଣସି ନିଷ୍ପତ୍ତି ହେଉ ନଥିଲା । କିନ୍ତୁ, ତାଙ୍କ ମୃତ୍ୟୁର ଏକ ବର୍ଷ ବିତିଗଲାଣି ଏବଂ ତାଙ୍କ ପୁଅ ପାର୍ଟିରେ ନିରାଶ ହୋଇଛନ୍ତି ।

ଅପରପକ୍ଷରେ ପଞ୍ଜାବ, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ଦଳ ଆଭ୍ୟନ୍ତରୀଣ ସଙ୍କଟର ସମ୍ମୁଖୀନ ହୋଇଥିବାରୁ ଏହା କଂଗ୍ରେସ ପାଇଁ ଏକ ବଡ ପ୍ରତିବନ୍ଧକ । ଗୁଜୁରାଟରେ ଚଳିତ ବର୍ଷ ଶେଷରେ ମତଦାନ ହେବ । ଅହମ୍ମଦ ପଟେଲ ରାଜ୍ୟର କଂଗ୍ରେସର ଜଣେ ପ୍ରତିଷ୍ଠିତ ମୁସଲମାନ ଚେହେରା ଅଟନ୍ତି, ଯିଏ ପରଦା ପଛ ରାଜନୀତି ପାଇଁ ସାରା ଦେଶରେ ଜଣାଶୁଣା । ଏହି ଟ୍ୱିଟ୍ ପରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ତାଙ୍କର ଏକ ଫଟୋ ମଧ୍ୟ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏପରି କୁହାଯାଉଛି ଯେ ସେ ତାଙ୍କ ଦଳ ସହ ଯାଇ ଗୁଜୁରାଟର ଭାରୁଚ ଆସନରୁ ନିଜର ନିର୍ବାଚନା ରାଜନୀତି ଆରମ୍ଭ କରିପାରନ୍ତି ।












Click it and Unblock the Notifications