ରଖିବନି କିଛି ସ୍ମୃତି... ସବୁ ଲେଖା ପୋତିଦେବ.... ଏମିତି କିଛି ଥିଲା ଜୟନ୍ତଙ୍କ ଶେଷ ଇଛା
କଟକ: ବିଶିଷ୍ଟ ସାହିତ୍ୟିକ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ପରଲୋକ ହୋଇଛି । ଏହା ପରେ ସବୁ ଦିନ ପାଇଁ ନୀରବି ଯାଇଛି ଚନ୍ଦ୍ରଭାଗା । ତାଙ୍କ ଇଛାକୁ ସମ୍ମାନ ଜଣାଇ ଖାନନଗର ଶ୍ମଶାନ ବିଦ୍ୟୁତ୍ ଚୁଲାରେ ଶେଷକୃତ୍ୟ ସମ୍ପନ୍ନ ହେବ
କିନ୍ତୁ ତାଙ୍କ ଦେହାନ୍ତ ପରେ ଜୟନ୍ତଙ୍କ ଶେଷ ଇଛାକୁ ନେଇ ଉଠିଛି ଚର୍ଚ୍ଚା । ବହୁ ପୂର୍ବରୁ ଶେଷ ଇଛା ଲେଖିସାରିଥିଲେ ପଦ୍ମଶ୍ରୀ ଜୟନ୍ତ । ବହୁ ଦିନ ଧରି ନିଜ ବାସଭବନ ଚନ୍ଦ୍ରଭାଗାର୍ ନିଃସଙ୍ଗ ଜୀବନ ଜିଉଁଥିଲେ ଜୟନ୍ତ । ପତ୍ନୀ ଜ୍ୟୋତ୍ସ୍ନା ମହାପାତ୍ରଙ୍କର 2008 ରେ ପରଲୋକ ହୋଇଯାଇଥିଲା । ସେହିପରି ସିଙ୍ଗାପୁରରେ ରହୁଥିବା ପୁଅ ମୋହନ ମହାପାତ୍ରଙ୍କର ମଧ୍ୟ 2017 ରେ ଅକାଳ ବିୟୋଗ ହୋଇଥିଲା । ଏହା ପରେ 'ଚନ୍ଦ୍ରଭାଗା'ରେ ନିଜ ଶୁଭେଚ୍ଛୁ, ପ୍ରଶଂସଙ୍କ ଗହଣରେ ସାହିତ୍ୟ ଚର୍ଚ୍ଚାରେ ଦିନ କାଟୁଥିଲେ ।

ମୃତ୍ୟୁ ପୂର୍ବରୁ କବି ଜୟନ୍ତ ଲେଖି ଯାଇଛନ୍ତି ନିଜର ଶେଷ ଇଚ୍ଛା । 2008 ରେ କବି ନିଜର ଇଛାକୁ ଏକ ଇଂରାଜୀ କବିତା 'My Last wish' ରେ ଲେଖିଥିଲେ । ଏଥିରେ ସେ ତିନୋଟି କଥା ଲେଖିଛନ୍ତି । ଏହା ପରେ ଏହାକୁ ସେ ସାହିତ୍ୟିକା ସୁସ୍ମିତା ରଥଙ୍କୁ ଦେଇଥିଲେ ।
ଏହି ଶେଷ ଇଚ୍ଛାରେ ସେ ଲେଖି ଯାଇଥିଲେ, 'ମୋର ମରଶରୀର ଖାନନଗରର ବିଦ୍ୟୁତ ଚୁଲାରେ ଦାହ ହେବ । ଏହା ପୋତା ଯିବ ନାହିଁ । ମୋ ମୃତ୍ୟୁ ସମୟରେ ଉପସ୍ଥିତ ଥିବା ବନ୍ଧୁ, ଶୁଭେଚ୍ଛୁମାନଙ୍କ ଗହଣରେ ମୃତଦେହକୁ ଭ୍ୟାନ ବା ଆମ୍ବୁଲାନ୍ସରେ ଖାନନଗର ନିଆଯିବ । ମୃତ୍ୟୁ ପରେ ଯେତେ ଶୀଘ୍ର ସମ୍ଭବ ମୋର ଶେଷ କୃତ୍ୟ ସମ୍ପନ୍ନ କରାଯିବ ।'
ଦ୍ୱିତୀୟ ଇଚ୍ଛାରେ ସେ ଲେଖିଥିଲେ, 'ଆମ ବର୍ତ୍ତମାର ଜମିର ଦକ୍ଷିଣ ପଶ୍ଚିମ ଦିଗରେ 20 ଫୁଟରେ 20 ଫୁଟ ଜମିକୁ ଶ୍ରୀମତି ଜେ ସରୋଜିନୀଙ୍କୁ ଦିଆଯିବ । ଯିଏ କି 35 ବର୍ଷ ଧରି ବିଶ୍ୱସନୀୟତାର ସହ ମୋର ସେବା କରି ଆସିଛନ୍ତି । ମୁଁ, ମୋର ପତ୍ନୀ ଜ୍ୟୋତ୍ସ୍ନା ମହାପାତ୍ର ଏବଂ ପୁଅ ମୋହନ ମହାପାତ୍ର ଏକାଠି ବସି ଏ ସମ୍ପର୍କରେ ନିଷ୍ପତ୍ତି ନେଇଥିଲୁ ।'
ତୃତୀୟ ଇଛା ଥିଲା କିଛି ଏପରି । 'ମୋର ସମସ୍ତ ଚିଠିପତ୍ର, ଦସ୍ତାବିଜ, ଅସମ୍ପୂର୍ଣ୍ଣ ପାଣ୍ଡୁଲିପି ମୋର ମୃତ୍ୟୁ ପରେ ପୋତି ଦିଆଯିବ ।'
ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କର ଗତକାଲି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି । ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର ନିମୋନିଆରେ ପୀଡ଼ିତ ହୋଇ SCBରେ ଚିକିତ୍ସାଧୀନ ଥିଲେ । ଗତ କିଛିଦିନ ଧରି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା। ଗତକାଲି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ବିଶେଷ କରି ଜଣେ ଇଣ୍ଡିଆନ୍ ଇଂଲିସ୍ ପୋଏଟ୍ ହିସାବରେ ବେଶ୍ ପରିଚିତ। ସେ ହେଉଛନ୍ତି ପ୍ରଥମ ଭାରତୀୟ କବି ଯିଏ କି ଇଂରାଜୀ ଭାଷାରେ କବିତା ପାଇଁ ସାହିତ୍ୟ ଏକାଡେମୀ ପୁରଷ୍କାର ପାଇଥିଲେ। ତାଙ୍କ କୃତି ମଧ୍ୟରେ ଇଣ୍ଡିଆନ୍ ସମର୍, ହଙ୍ଗର ଓ ରିଲେସନସିପ୍ ଭଳି କାବ୍ୟ ଆଧୁନିକ ଭାରତୀୟ ଇଂରାଜୀ ସାହିତ୍ୟରେ ବେଶ୍ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କ ଲେଖନୀରୁ 20 ରୁ ଅଧିକ ଇଂରାଜୀ କବିତା ସଂକଳନ ଓ 7ରୁ ଅଧିକ ଓଡ଼ିଆ କବିତା ସଂକଳନ ରହିଛି ।












Click it and Unblock the Notifications