ଉନ୍ମୋଚିତ ହେଲା ରାଜ୍ୟ ସରକାରଙ୍କ 'ଖୁସି' ପୋର୍ଟାଲ ; ସୁବ୍ୟବସ୍ଥିତ ହେବ ସାନିଟାରୀ ନାପକିନ୍ ବଣ୍ଟନ
ରାଜ୍ୟ ସରକାର ସ୍କୁଲରେ ପଢୁଥିବା ଛାତ୍ରୀମାନଙ୍କୁ ଋତୁକାଳୀନ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ଦିଆଯାଉଥିବା ସାନିଟାରୀ ନାପକିନ୍ ବଣ୍ଟନର ସୁପରିଚାଳା ଏବଂ ସୁବ୍ୟବସ୍ଥିତ କରିବା ପାଇଁ 'ଖୁସି' ପୋର୍ଟାଲର ଶୁଭାରମ୍ଭ କରାଯାଇଛି |
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ରୀମାନଙ୍କୁ ପ୍ଲାଗସିପ୍ କାର୍ଯ୍ୟକ୍ରମ ଜରିଆରେ ଋତୁକାଳୀନ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ଦିଆଯାଉଥିବା ସାନିଟାରୀ ନାପକିନ୍ ବଣ୍ଟନର ସୁପରିଚାଳା ଏବଂ ସୁବ୍ୟବସ୍ଥିତ କରିବା ପାଇଁ 'ଖୁସି' ପୋର୍ଟାଲର ଶୁଭାରମ୍ଭ କରାଯାଇଛି | ଏହି ପୋର୍ଟାଲକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଉନ୍ମୋଚନ କରିବା ସହ ଏହି ସଫ୍ଟଓୟାର ଦ୍ୱାରା ସରା ରାଜ୍ୟରେ ସାନିଟାରୀ ନାପକିନ୍ ଯୋଗାଣକୁ ସୁବ୍ୟବସ୍ଥିତ କରିହେବ ବୋଲି କହିଛନ୍ତି |
ସ୍କୁଲରେ ଏହି ନାପକିନ୍ ପହଞ୍ଚାଇବା ପାଇଁ ପ୍ରତ୍ୟେକ ସ୍କୁଲରୁ ଜଣେ ଲେଖାଏଁ ମହିଳା ନୋଡାଲ ଅଫିସରଙ୍କୁ ଚୟନ କରାଯାଇଛି | ସେ ଗୋଦାମରୁ ଏହି ନାପକିନ୍ ନେବା ସହ ଛାତ୍ରୀଙ୍କ ମଧ୍ୟରେ ବାଣ୍ଟିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଏହି ପୋର୍ଟାଲ ମାଧ୍ୟମରେ ତଦାରଖ କରିହେବ | ଜାତୀୟ ବିଜ୍ଞାନ ସୂଚନା କେନ୍ଦ୍ର ଦ୍ୱାରା ଏହି ପୋର୍ଟାଲକୁ ବିକଶିତ କରାଯାଇଛି | ସାନିଟାରୀ ନ୍ୟାପ୍କିନ୍ ଯୋଗାଣ ପାଇଁ 2020-21 ମସିହା ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହୋଇ ସାମଗ୍ରୀ ଯୋଗାଇଦେବା ପାଇଁ ପ୍ରକ୍ରିୟା ଚାଲୁ ରହିଛି | ଚଳିତ ବର୍ଷ ଛାତ୍ରୀମାନଙ୍କୁ ସାନିଟାରୀ ନାପକିନ୍ ଯୋଗାଣ ପାଇଁ 2020-21 ଆର୍ଥିକ ବର୍ଷରେ ରାଜ୍ୟ ସରକାର 30 କୋଟି ଟଙ୍କା ବଜେଟ୍ ରଖିଛନ୍ତି |

ଏହି ଅବସରରେ ଉପସ୍ଥିତ ରହି ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ 'ଖୁସି'ର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ | ଏଥିସହିତ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଡେପୁଟି ଡାଇରେକ୍ଟର ଜେନେରାଲ୍ ଓ ରାଜ୍ୟ ଇନ୍ଫର୍ମେଟିକ୍ସ ଅଫିସର କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦେଶିକା ନିରୁପମା ମହାପାତ୍ର, ବରିଷ୍ଠ ବୈଷୟିକ ନିର୍ଦେଶକ ବିଭାସ ରାୟ ପ୍ରମୁଖ ଉପସ୍ଥିତ ଥିଲେ |












Click it and Unblock the Notifications