ପରଲୋକରେ ଶିଷ୍ଟ ରାଜନୀତିଜ୍ଞ ତଥା ଖଲ୍ଲିକୋଟର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ
ଗଞ୍ଜାମ: ଆରପାରିରେ ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ । 87 ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।

ପ୍ରବାଦପୁରୁଷ ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ, ବିଶିଷ୍ଟ ରାଜନୀତିଜ୍ଞ ତଥା ଖଲ୍ଲିକୋଟର ପୂର୍ବତନ ବିଧାୟିକା ଥିଲେ ଭି. ସୁଜ୍ଞାନ କୁମାରୀ ଦେଓ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ଚିକିତ୍ସାଧୀନ ସୁଜ୍ଞାନଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ବିଧାନସଭାକୁ ଦଶଥର ନିର୍ବାଚିତ ହୋଇଥିଲେ ଭି. ସୁଜ୍ଞାନ କୁମାରୀ ଦେଓ । ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ରାଜନୀତିରେ ଯୋଗ ଦେଇଥିଲେ । ଖଲିକୋଟ ଓ କବିସୂର୍ଯ୍ୟ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ରାଜ୍ୟ ବିଧାନସଭାକୁ 10 ଥର ନିର୍ବାଚିତ ହୋଇଛନ୍ତି ।
1961 ମସିହାରେ ଖଲିକୋଟ ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାନସଭାରେ ପାଦ ଥାପିଥିଲେ ସୁଜ୍ଞାନ କୁମାରୀ ଦେଓ । ଏହା ପରେ ଷଷ୍ଠ ବିଧାନସଭାକୁ ସେହି ଖଲିକୋଟ ଆସନରୁ ନିର୍ବାଚିତ ହୋଇଥିଲେ । ଅଷ୍ଟମ ବିଧାନସଭାକୁ ଛାଡିଦେଲେ କ୍ରମାଗତ ଭାବେ ଗତ ବିଧାନସଭା ପର୍ଯ୍ୟନ୍ତ ବିଧାୟିକା ଭାବେ ନିର୍ବାଚିତ ହୋଇ ଆସିଛନ୍ତି । ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳରୁ ସେ ବିଧାୟିକା ହୋଇଛନ୍ତି । ଖଲିକୋଟରୁ 8 ଥର ଓ କବିସୂର୍ଯ୍ୟନଗରରୁ 2 ଥର ନିର୍ବାଚିତ ହୋଇଛନ୍ତି ।












Click it and Unblock the Notifications