ଚାଷୀଙ୍କୁ ନୂଆଖାଇ ଭେଟି, ପାଇଲେ କାଳିଆ ସହାୟତା, ଏଯାଏଁ ଦିଆଯାଇଛି 12 ହଜାର 500 କୋଟି ଟଙ୍କା
ଭୁବନେଶ୍ଵର: ପବିତ୍ର ନୂଆଁଖାଇ ପର୍ବରେ ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ଭେଟି ଦେଲେ ରାଜ୍ୟ ସରକାର । ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଗଲା କାଳିଆ ସହାୟତା ରାଶି । ରାଜ୍ୟର 44 ଲକ୍ଷ 56 ହଜାର ଚାଷୀ ପରିବାରକୁ ମିଳିଛି କାଳିଆ ସହାୟତା ଟଙ୍କା । ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ 2000 ଟଙ୍କା ଲେଖାଏଁ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି । ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି । ଏଥିରେ 43 ଲକ୍ଷ 88 ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ 68 ହଜାର 750 ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଜଣାଇ କହିଲେ ଯେ ଚାଷୀ ଆମର ଗୌରବ । ମୋ ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ୱାଭିମାନର ସହ ବଞ୍ଚୁ ବୋଲି ସେ ଚାହାଁନ୍ତି । ବିକାଶର ସୁଫଳରେ ଚାଷୀ ସାମିଲ ହେଉ ବୋଲି ସେ କହିଛନ୍ତି ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ 12500 କୋଟି ଟଙ୍କାର ସହାୟତା ଦିଆ ଯାଇଛି ।
ସେ ଆହୁରି କହିଛନ୍ତି ଚାଷୀ ପରିବାର ର ପିଲାମାନେ ଡାକ୍ତର, ଇଞ୍ଜିନିୟର ହୋଇ ଭଲ ଭଲ ପ୍ରଫେସନରେ ଯୋଗ ଦିଅନ୍ତୁ ବୋଲି ସେ ଚାହାଁନ୍ତି । ଏହାଦ୍ୱାରା ସେମାନେ ନିଜ ପରିବାର ପାଇଁ, ସାରା ରାଜ୍ୟ ପାଇଁ ସୁନାମ ଆଣି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ପାଉଥିବା ଚାଷୀ ମାନଙ୍କ ପିଲା ମାନଙ୍କୁ ରାଜ୍ୟ ସରକାର କାଳିଆ scholarship ଦେଉଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଫସଲ ବୀମା ର premium ଦେଉଛନ୍ତି । ଏ ବର୍ଷ 22 ଲକ୍ଷରୁ ଅଧିକ ଚାଷୀ ବୀମା ପାଇଁ ପଞ୍ଜିକରଣ କରି ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୃଷି ପାଇଁ ରାଜ୍ୟ ସରକାର ବହୁତ୍ ଯୋଜନା କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚାଷୀ ମାନେ ଏହାର ସୁଯୋଗ ନେଇ ଓଡ଼ିଶାକୁ କୃଷି କ୍ଷେତ୍ରରେ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ ।
ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ କୃଷି ପାଇଁ ବିହନ, ସାର, ରୋଗ ପୋକ ପାଇଁ ଔଷଧ ଓ ଯାନ୍ତ୍ରିକ ଉପକରଣ କିଣିବା ପାଇଁ ସିଧା ସଳଖ ସହାୟତା ଦିଆଯାଉଛି । ଏହା ଦ୍ବାରା ସେମାନେ ଋଣ ଗ୍ରସ୍ତ ହେବାର ସମ୍ଭାବନା ରହୁ ନାହିଁ । ଏହା ସହିତ ଭୂମି ହୀନ ଚାଷୀ ମାନଙ୍କୁ ବିଭିନ୍ନ ଜୀବିକା ପାଇଁ ଯଥା ଛେଳି, କୁକୁଡ଼ା, ବତକ ପାଳନ, ମହୁ ଚାଷ, ଛତୁ ଚାଷ ଆଦି ପାଇଁ ମଧ୍ୟ ଏହି ସହାୟତା ଦିଆଯାଉଛି ।
ଏହି ଅବସରରେ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ଯେ ମୁଖ୍ୟ ମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ରାଜ୍ୟରେ ଅନେକ କୃଷି କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି। ସେଥି ମଧ୍ୟରୁ କାଳିଆ ଯୋଜନା ସ୍ବତନ୍ତ୍ର। ଏହା ଯୋଗୁ ଚାଷୀ ମାନେ ଆଉ ବେସରକାରୀ ଅର୍ଥ ଲଗାଣ କାରି ସଂସ୍ଥା କିମ୍ବା ଗାଁ ସାହୁକାର ଉପରେ ନିର୍ଭର କରୁ ନାହାନ୍ତି। ନିଜ ଉପରେ ଚାଷୀ ମାନଙ୍କ ଆସ୍ଥା ବଢ଼ିଛି। ଗତ ଚାରି ବର୍ଷରେ ରାଜ୍ୟରେ କ୍ରମାଗତ ଭାବେ ରେକର୍ଡ ଉତ୍ପାଦନ ହେଉଛି ବୋଲି ସେ କହିଥିଲେ।
ରାଜ୍ୟ ସରକାର କିଛି ବର୍ଷ ହେବ gender budgeting କରୁଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଯୋଜନାର ଅତି କମରେ ୩୦-୩୫ ପ୍ରତିଶତ ଅର୍ଥ ମହିଳା ମାନଙ୍କ ପାଇଁ ଖର୍ଚ୍ଚ ହେଉଛି।
ଏହି ଅବସରରେ କେତେକ କାଳିଆ ହିତାଧିକାରୀ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଢେଙ୍କାନାଳ IGIT ସରାଙ୍ଗରେ ପଢୁଥିବା ଛାତ୍ରୀ ରାଣୀ ସାହୁ କହିଲେ ଯେ କାଳିଆ ଛାତ୍ର ବୃତ୍ତି ଯୋଗୁ ସେ ଆଜି engineering ପଢ଼ି ପାରୁଛନ୍ତି। ନ ହେଲେ ହୁଏତ ତାଙ୍କ ସ୍ବପ୍ନ ପୁରଣ ହୋଇ ପାରି ନ ଥାନ୍ତା। ତାଙ୍କ ବାପାଙ୍କୁ କରଜ କରିବାକୁ ପଡ଼ି ଥାନ୍ତା। ତେଣୁ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।
ସେହିପରି ବଲାଙ୍ଗୀରର ଚାଷୀ ବିନୋଦ ପ୍ରଧାନ, ନବରଙ୍ଗପୁରର ଲଛମା ଭତରା ଓ ବାଲେଶ୍ଵରର ଚାଷୀ ଗିରିଧାରୀ ଗିରି ପ୍ରମୁଖ କାଳିଆ ସହାୟତା ପାଇଁ ସେମାନଙ୍କ ହୃଦୟରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ। କାଳିଆ ଯୋଗୁ ସେମାନଙ୍କୁ ଋଣ କରିବାକୁ ପଡୁ ନାହିଁ। ସେମାନେ ସମସ୍ତେ ଈଶ୍ବରଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଥଲେ ।












Click it and Unblock the Notifications