ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ
କଟକ: ଓଡ଼ିଶା ହାଇକୋର୍ଟକୁ ମିଳିଲା ନୂଆ ମୁଖ୍ୟ ବିଚାରପତି । ଆଜି ଶପଥ ନେଇଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ ।
ଦିନ 10ଟା ସମୟରେ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଚକ୍ରଧାରୀ ଶରଣ ସିଂ । ଏହି ଶପଥଗ୍ରହଣ ଉତ୍ସବରେ ମୁଖ୍ୟ ଶାସନ ସଚିବଙ୍କ ସମେତ ପୋଲିସ ଡିଜି ଓ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନେଇ ଗତ 2 ତାରିଖରେ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହା ପୂର୍ବରୁ ସେ ପାଟନା ହାଇକୋର୍ଟରେ ବିଚାରପତି ଥିଲେ ।
1963 ଜାନୁୟାରୀ 20 ତାରିଖରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଶରଣ ସିଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିବା ପରେ, 1990 ଜାନୁୟାରୀରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ସେ 22 ବର୍ଷ ଧରି କାର୍ଯ୍ୟ କରିଛନ୍ତି । 2012 ଏପ୍ରିଲ 5 ତାରିଖରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଜଷ୍ଟିସ ଚକ୍ରଧାରୀ ଶରଣ ସିଂ 2025 ଜାନୁୟାରୀ ମାସରେ ଅବସର ନେବେ ।












Click it and Unblock the Notifications