ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଚକ୍ରଧାରୀ ଶରଣ ସିଂହ
କଟକ: ଓଡ଼ିଶା ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି । ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେବେ । ଏ ନେଇ ସୁପ୍ରିମ୍କୋର୍ଟ କଲିଜିୟମ ସୁପାରିଶ କରିଛି ।
ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ଼, ବିଚାରପତି ସଞ୍ଜୟ କିଶାନ କାଉଲ୍, ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ୍ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂଙ୍କୁ ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିସ କରିଛନ୍ତି । ଜଷ୍ଟିସ ସିଂ ଏହି ପଦ ପାଇଁ ଯୋଗ୍ୟ ବୋଲି କଲେଜିୟମ ହୃଦ୍ବୋଧ କରିବା ପରେ ଏପରି ପଦକ୍ଷେପ ନିଆଯାଇଛି ।

ଜଷ୍ଟିସ ଶୁଭାଶୀଷ ତାଳପତ୍ରଙ୍କ ଅବସର ପରେ ଅକ୍ଟୋବର ୩ରୁ ଓଡ଼ିଶା ମୁଖ୍ୟ ବିଚାରପତି ପଦ ଖାଲି ପଡ଼ିଛି । ସେବେଠାରୁ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି ।
1963 ଜାନୁୟାରୀ 20 ତାରିଖରେ ଜନ୍ମିତ ଜଷ୍ଟିସ ଶରଣ ସିଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିବା ପରେ 1990 ଜାନୁଆରୀ ମାସରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ସେ 22 ବର୍ଷ ଧରି କାର୍ଯ୍ୟ କରିଛନ୍ତି । 2012 ଏପ୍ରିଲ 5 ତାରିଖରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।
ସାମ୍ବିଧାନିକ, ସର୍ଭିସ୍, ଆର୍ବିଟ୍ରେଶନ୍ ଓ ଫୌଜଦାରି, ଶ୍ରମ ବିବାଦ ଆଦି ମାମଲା ବେଶ୍ ସଫଳତାର ସହ ପରିଚାଳନା କରିଥିଲେ । ତାଙ୍କୁ 1998 ରେ ବିହାରର ଅତିରିକ୍ତ ଆଡ୍ଭୋକେଟ୍ ଜେନେରାଲ୍ ଭାବେ ନିଯୁକ୍ତି ମିଳିଥିଲା। ପାଟଣା ହାଇକୋର୍ଟର ବିଚାରପତି ଭାବେ ସେ 11 ବର୍ଷ ମଧ୍ୟରେ 1246 ରିପୋଟେଡ୍ ଜଜ୍ମେଣ୍ଟ କରିଥିଲେ । ସେ ଗତ ଫେବୃୟାରୀ 6 ତାରିଖରୁ ପାଟଣା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।
ଜଷ୍ଟିସ ଶରଣ ସିଂ 2025 ଜାନୁୟାରୀ ମାସରେ ଅବସର ନେବେ ।












Click it and Unblock the Notifications