ଓଡ଼ିଶାରେ ଇଲେକ୍ଟ୍ରିକ୍ ଗାଡ଼ି ଓ ବ୍ୟାଟେରୀ ପ୍ଲାଣ୍ଟ କରିବ JSW, ସୃଷ୍ଟି ହେବ 11 ହଜାର ନିଯୁକ୍ତି
ଭୁବନେଶ୍ୱର: ଓଡ଼ିଶାରେ ନିର୍ମାଣ ହେବ ଇଲେକ୍ଟ୍ରିକ୍ ଗାଡ଼ି । ଏହା ସହ ସ୍ଥାପନ ହେବ ବ୍ୟାଟେରୀ ନିର୍ମାଣ କାରଖାନା । ଏହି ଶିଳ୍ପ ଆରମ୍ଭ କରିବ ଜେଏସଡବ୍ଲ୍ୟୁ । ଏଥିପାଇଁ ଓଡ଼ିଶା ସରକାର ଏବଂ ଜେଏସଡବ୍ଲ୍ୟୁ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ୱାକ୍ଷର ହୋଇଛି । ଏହି ସମୟରେ ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ ।

ନରାଜ ଠାରେ 9ଶହ ଏକର ଜମିରେ ନିର୍ମାଣ ହେବ ଏହି ପ୍ଲାଣ୍ଟ । ଏଥିଲାଗି 40 ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ । ଫଳରେ ସୃଷ୍ଟି ହେବ 11 ହଜାର ନିଯୁକ୍ତି ସୁଯୋଗ । 3 ବର୍ଷ ଭିତରେ ଏହା କାର୍ଯ୍ୟକ୍ଷମ ହେବ । ଅକ୍ଟୋବର ମାସରେ ଏହାର ଶିଳାନ୍ୟାସ ହେବ ।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପାୟନ ଦ୍ୱାରା ରାଜ୍ୟର ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସବୁ ନୂତନ ଶିଳ୍ପ ହେବା ଦ୍ୱାରା ରାଜ୍ୟବାସୀ ଉପକୃତ ହେବେ ଏବଂ ରାଜ୍ୟ ବିଶ୍ୱ ମାନଚିତ୍ରରେ ଏକ ଶିଳ୍ପ ଶକ୍ତି ଭାବେ ଗଢି ଉଠିବ ।
ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଛନ୍ତି । ଗ୍ରୀନ ହାଉସ ଗ୍ୟାସ ଏମିସନ ହ୍ରାସ ଲାଗି ପଦକ୍ଷେପ ନିଆଯାଉଛି । ଏଥିଲାଗି ଇଭି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଉଛି । ବିଭିନ୍ନ ରାଜ୍ୟରେ ଇଭି ଲାଗି ପ୍ରକ୍ରିୟା ଚାଲିଛି । ଏନେଇ ଶିଳ୍ପ ବିଭାଗ, ଇପିକଲ ତରଫରୁ ମାନୁଫାକଚରରଙ୍କ ସହ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।












Click it and Unblock the Notifications