ଟଙ୍କା ନେଇ ସରକାରୀ ଚାକିରୀ ପାଇଁ ହେଉଥିଲା ଡିଲ୍, ପୋଲିସ୍ ହାତରେ 9 ଦଲାଲ୍
ବାଲେଶ୍ୱର: ସରକାରୀ ଚାକିରୀ କରାଇଦେବା ନାଁ ରେ ଆଶାୟୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଣଦେଣ ପାଇଁ ହୋଇଥିଲା ଡିଲ୍ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଯୋଗାଇ ଦେବା ଏବଂ ଚାକିରୀ କରାଇଦେବା କହି ନେଉଥିଲେ ମୋଟା ଅଙ୍କର ଟଙ୍କା । ଏହବା ସହ ବନ୍ଧା ପଡ଼ୁଥିଲା ସାର୍ଟିଫିକେଟ୍ ।

ଏମିତି ଏକ ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ବାଲେଶ୍ୱର ପୋଲିସ୍ । ଏକ ହୋଟେଲରେ ଚଢଉ କରି ଜଣେ ମହିଳାଙ୍କ ସମେତ 9 ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କଠାରୁ 6 ଟି କାର ସହ, ଗୋଟିଏ ବସ୍, ଅନେକ ସାର୍ଟିଫିକେଟ ଜବତ କରିଛି ପୋଲିସ । ଏଥି ସହିତ 15 ଟି ମୋବାଇଲ୍ ଫୋନ, ସାଇନ ହୋଇଥିବା ଏକାଧିକ ବ୍ଲାଙ୍କ ଚେକ ଓ ନଗଦ 22 ହଜାର 500 ଟଙ୍କା ଜବତ କରିଛି ପୋଲିସ୍ ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ତେବେ ପ୍ରଶ୍ନ ପତ୍ର ଲିକ୍ ହୋଇନି । ଏହା ଏକ ଜବ୍ ଫ୍ରଡ ସ୍କାମ ବୋଲି କହିଛନ୍ତି ଏସପି । ଯେଉଁ ରାଜ୍ୟରେ ପରୀକ୍ଷା, ତା ବାହାର ରାଜ୍ୟରେ ଆଶାୟୀଙ୍କୁ ଟ୍ରାପ୍ କରନ୍ତି ଅଭିଯୁକ୍ତ । ପ୍ରଶ୍ନପତ୍ର ଯୋଗାଇ ଦେବାକୁ କହି ପରୀକ୍ଷାର୍ଥୀଙ୍କୁ ଠକନ୍ତି । ସହଦେବଖୁଣ୍ଟା ଆଇଆଇସିଙ୍କ ନେତୃତ୍ୱରେ ଠକଙ୍କୁ ଧରାଯାଇଛି ।
ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବାଣ୍ଟୁଥିଲେ ଅଭିଯୁକ୍ତ । ଚାକିରି ପରେ ପରୀକ୍ଷାର୍ଥୀ ପିଛା 8 ରୁ 16 ଲକ୍ଷ ଟଙ୍କା ନେଉଥିଲେ । ତେବେ ପ୍ରଶ୍ନପତ୍ର ଲିକ୍ ହୋଇନଥିବା ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ କ୍ୟାଣ୍ଡିଡେଟଙ୍କୁ ଦେଉଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମେଳଖାଉନଥିବା ଏସ୍ପି କହିଛନ୍ତି ।
ଏସ୍ପି ଆହୁରି କହିଛନ୍ତି, ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଭିତରେ 3 ଜଣଙ୍କ ହେଉଛନ୍ତି ମୁଖ୍ୟ କାର୍ପଟଦାର । ସେମାନଙ୍କ ଭିତରେ ଜଣେ ଓଡ଼ିଶାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆନ୍ଧ୍ରପ୍ରଦେଶ ଓ ବିହାର । ତେବେ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ ଚାଲିଛି ବୋଲି ଏସ୍ପି କହିଛନ୍ତି ।
ଗିରଫ ଦଲାଲମାନେ ହେଉଛନ୍ତି ଖୋର୍ଦ୍ଧା ଅଞ୍ଚଳର ବିଶ୍ବରଞ୍ଜନ ମହାପାତ୍ର, ବିଶାଖାପାଟଣାର ମହମ୍ମଦ.କେ.ସିଦ୍ଦିକ୍, ଭୁବନେଶ୍ୱର ଉପକଣ୍ଠ ଯଦୁପୁରର ସାଇନା ପରବିନ୍, ମୁସ୍ତାକ୍ ଅଲ୍ଲୀ ଖାନ୍ ଓ ଏମ୍ଡି କମରୁଦ୍ଦିନ୍, ବିହାରର ଅଜୟ କୁମାର, ରାଜକୁମାର, ଦୀପକ କୁମାର ଓ ଭୁବନେଶ୍ୱରର ବିଜେନ୍ଦ୍ର କୁମାର ।
ବିଶ୍ୱରଞ୍ଜନ ହେଉଛି ଏହି ଗ୍ୟାଙ୍ଗ୍ର କିଙ୍ଗ୍ପିନ୍ । ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟରୁ ଶତାଧିକ ନିଯୁକ୍ତି ଆଶାୟୀଙ୍କୁ ଟାର୍ଗେଟ୍ କରୁଥିଲେ ଏହି ଗ୍ୟାଙ୍ଗର ସଦସ୍ୟ ।
ରବିବାର ଦିନ କମ୍ବାଇନ୍ଡ ଗ୍ରାଜୁଏଟ୍ ଲେବଲ୍ ପରୀକ୍ଷା ଥିବା ବେଳେ ଏହି ଗ୍ୟାଙ୍ଗ୍ ଦିନକ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ କହି ପାଖାପାଖି 100 ଛାତ୍ରଛାତ୍ରୀଙ୍କୁ ଶନିବାର ବିଳମ୍ବିତ ରାତିରେ ଏକ ଘରୋଇ ବସ୍ ଓ 2 ଟି ଟୁରିଷ୍ଟ ଗାଡ଼ି ଯୋଗେ ଭୁବନେଶ୍ୱରରୁ ବାଲେଶ୍ୱର ଜିଲ୍ଲା ତାଳସାରୀ ଥାନା ଅଞ୍ଚଳକୁ ଆଣିଥିଲେ । ସେଠାରେ ଏକ ହୋଟେଲ୍ରେ ସମସ୍ତଙ୍କୁ ରଖି ଯୋଜନା ମୁତାବକ ପ୍ରଶ୍ନପତ୍ର ପାଇଁ ଡିଲ୍ ଆରମ୍ଭ କରିଥିଲେ । ଏସଂପର୍କରେ ଖବର ପାଇବା ପରେ ଏସ୍ପି ସାଗରିକା ନାଥ ଏକ 20 ଜଣିଆ ପୁଲିସ ଟିମ୍ ଗଠନ କରିବା ସହ ତୁରନ୍ତ ଚଢଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।












Click it and Unblock the Notifications