ଝାରସୁଗୁଡ଼ା ଉପ ନିର୍ବାଚନ : ଓଡ଼ିଶାରେ ପ୍ରଥମ ଥର ହେବ ୱେବକାଷ୍ଟିଂ, ସିଧାସଳଖ ଦେଖିବେ ନିର୍ବାଚନ ଅଧିକାରୀ

ଝାରସୁଗୁଡ଼ା : ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡ଼ା ଆସନରେ ହେବ ଉପନିର୍ବାଚନ । ଏହାକି ନେଇ ନିର୍ବାଚନମଣ୍ଡଳୀ ସମେତ ସାରା ରାଜ୍ୟର ରାଜନୀତି ସରଗରମ ହୋଇଛି । ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେଉଥିବା ଦେଖିବାକୁ ମିଳୁଛି । ଏପରିକି ଉଭୟ ଦଲ ପରସ୍ପର ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ନେଇ ଅଭିଯୋଗ କରୁଛନ୍ତି । ଏଥି ମଧ୍ୟରେ ନିର୍ବାଚନକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ସମସ୍ତ ପ୍ରସ୍ତୁତିରେ ଲାଗି ପଡ଼ିଛି ନିର୍ବାଚନ କମିଶନ ।
ଏହାକୁ ନେଇ ବିଶେଷ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ସେ କହିଛନ୍ତି, ଓଡ଼ିଶାରେ ପ୍ରଥମ ଥର ପାଇଁ ସବୁ ବୁଥରେ ହେବ ୱେବକାଷ୍ଟିଂ । ଝାରସୁଗୁଡ଼ା ଉପନିର୍ବାଚନରେ ଏହା କରାଯିବ, ଯାହା ସିଧାସଳଖ ନିର୍ବାଚନ ଅଧିକାରୀ ଦେଖି ପାରିବେ ।
ଏଥି ସହିତ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ 40 ପ୍ରତିଶତ ବୁଥ୍ ସମ୍ବେଦନଶୀଳ । ଏହା ଉପରେ ବିଶେଷ ଧ୍ୟାନ ଦେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଝାରସୁଗୁଡ଼ାରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ଅଛି । ଦୁଇଟି ରାଜନୈତିକ ଦଳ ଠାରୁ ନିର୍ବାଚନ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗ ପାଇଛୁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଜିଲ୍ଲାପାଳ ଏହି ଅଭିଯୋଗ ପାଇଛନ୍ତି । ସବୁର ତଦନ୍ତ ଚାଲିଛି । ନିୟମିତ ଭାବେ ଝାରସୁଗୁଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରାଯାଉଛି ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ।
ଆପଣଙ୍କୁ କହି ରଖୁଛୁ ମେ 10 ରେ ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ମତଦାନ ହେବ । ଏହାର ଫଳାଫଳ ମେ 13 ରେ ପ୍ରକାଶ ପାଇବ ।












Click it and Unblock the Notifications