ଭିଜିଲାନ୍ସ ଡର, ରେଡ୍ ବେଳେ ଛାତ ଡେଇଁ ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ
ଭୁବନେଶ୍ୱର: ଭିଜିଲାନ୍ସ ରେଡ୍ କୁ କୋକୁଆ ଭୟ । ଭିଜିଲାନ୍ସ ରେଡ୍ ବେଳେ ଛାତ ଡେଇଁ ଚମ୍ପଟ୍ ମାରିଲେ କନିଷ୍ଠ ଯନ୍ତ୍ରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଜାଗମରାରେ ।

ମିଳିଥିବା ସୂଚନା ଅନୁସାରେ, ଜଳଯୋଗାଣ ବିଭାର ଜୁନିଅର ଇଞ୍ଜିନିୟର ସୁନୀଲ କୁମାର ପାଢୀଙ୍କ ଘରେ ରେଡ୍ କରିବାକୁ ପହଞ୍ଚିଥିଲା ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଟିମ୍ କୁ ଦେଖି ଛାତ ଡେଇଁ ଚମ୍ପଟ୍ ମାରିଥିଲେ କନିଷ୍ଠ ଯନ୍ତ୍ରୀ । ଜାଗମରା ସ୍ଥିତ ବାସଭବନରେ ସକାଳୁ ଭିଜିଲାନ୍ସ ଟିମ୍ ପହଁଚିବା ପରେ ଛାତ ଉପରକୁ ଯାଇ ସେଠାରୁ ପଡୋଶୀ ଘର ଛାତକୁ ଡିଆଁ ମାରିଥିଲେ ସୁନୀଲ ପାଢୀ । ଆଉ ସେଠାରୁ କନିଷ୍ଠ ଯନ୍ତ୍ରୀ ଫେରାର ହୋଇ ଯାଇଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।
ସୁନୀଲ ପାଢ଼ୀ ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ ଅଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଆଜି ଭୋରରୁ ଜାଗମରା ଘରେ ରେଡ୍ ପାଇଁ କବାଟ ବାଡ଼େଇଥିଲା ଭିଜିଲାନ୍ସ ଟିମ୍ । ତେବେ ଏତେକି ବେଳେ ଜେଇ ଜଣକ ଛାତ ଡେଇଁ ପଳାଇଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ 5 ଟି ସ୍ଥାନରେ ରେଡ୍ କରୁଛି । ସୁନୀଲଙ୍କ ସୁନାମ୍ଭ ସ୍ଥିତ ପୈତୃକ ଘର, ଆସିକା ବସଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପେକ୍ସ, ଭଂଜନଗର ସ୍ଥିତ ସମ୍ପର୍କୀୟ ଘର, ଭୁବନେଶ୍ୱର ଜାଗମରା ଘରେ ଚଢଉ ଚାଲିଛି ।
ଭୁବନେଶ୍ୱରସ୍ଥିତି ଭିଜିଲାନ୍ସ ଜଜ୍ଙ୍କ ଦ୍ୱାରା ଜାରି ସମନ ଅନୁଯାୟୀ, ଆଜି ସକାଳୁ ସୁନୀଲ କୁମାର ପାଢ଼ୀଙ୍କ ଘର ସମେତ 5ଟି ସ୍ଥାନରେଏକକାଳୀନ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ 6 ଜଣ ଡିଏସ୍ପି, 3 ଜଣ ଇନ୍ସପେକ୍ଟର, 7 ଜଣ ଏଏସ୍ଆଇ ପ୍ରମୁଖ ସାମିଲ ହୋଇଛନ୍ତି ।
ସୁନୀଲଙ୍କ ଜାଗମରାସ୍ଥିତ ଘରୁ ନଗଦ 4 ଲକ୍ଷ ଟଙ୍କା ସମେତ ବହୁ ଦସ୍ତାବିଜ ଜବତ ହୋଇଛି । ତେବେ ଏଯାବତ 5 ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ କେତେ ପରିମାଣର ସମ୍ପତ୍ତି ଜବତ ହେଲାଣି ସେ ନେଇ କୌଣସି ସୂଚନା ମିଳି ପାରିନି ।












Click it and Unblock the Notifications