ଯଯାତି କେଶରୀଙ୍କ ନାଁ ରେ ହେଲା ଯାଜପୁର ମେଡିକାଲ କଲେଜ୍ ଓ ହସ୍ପିଟାଲ
ଭୁବନେଶ୍ୱର: ବଦଳିଲା ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲନ ନାଁ । ଯଯାତି କେଶରୀଙ୍କ ନାଁ ରେ ନାମିତ ହେଲା ମେଡିକାଲ କଲେଜ । ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନିକଟରେ 5T ସଚିବଙ୍କ ଗସ୍ତ ସମୟରେ ଯାଜପୁରବାସୀ ମେଡିକାଲ କଲେଜକୁ ଯଯାତି କେଶରୀଙ୍କ ନାମରେ ନାମିତ କରିବାକୁ ଅନୁରୋଧ କରିଥିଲେ । ପ୍ରାଚୀନ ଓଡିଶାର ପ୍ରସିଦ୍ଧ ସୋମବଂଶୀ ଶାସକ ଯଯାତି କେଶରୀ ଓଡିଶାବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଲିଙ୍ଗରାଜ ମନ୍ଦିର ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ନିର୍ମାଣ ସହ ଅଭିନବ ଯାଯନଗର ତଥା ଆଧୁନିକ ଯାଜପୁର ସେତେବେଳର ସୋମବଂଶର ରାଜଧାନୀ ଥିଲା । ଲୋକଙ୍କ ଭାବାବେଗ ଏବଂ ଅନୁରୋଧକୁ ରକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
ସୂଚନାଥାଉ କି, ଯଯାତି କେଶରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ 46 ଏକର କ୍ୟାମ୍ପସରେ 526.21 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଯାଜପୁରର ନୂତନ ମେଡିକାଲ କଲେଜରେ 2024-25 ଶିକ୍ଷାବର୍ଷ ପାଇଁ 100 MBBS ଛାତ୍ରଛାତ୍ରୀ ଆଡମିଶନ ପାଇଁ ଲେଟର ଅଫ୍ ପର୍ମିସନ୍ (LoP) ପ୍ରଦାନ କରିବାକୁ ରାଜ୍ୟ ସରକାର ନ୍ୟାସନାଲ ମେଡିକାଲ କମିଶନଙ୍କ ନିକଟରେ ଆବେଦନ କରିଛନ୍ତି ।
ଏହି କଲେଜ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ସଂଖ୍ୟା 12 ଛୁଇଁବ ଏବଂ ଏହି ସବୁ କଲେଜରୁ ବର୍ଷକୁ 1650 ଜଣ ଏମବିବିଏସ ଛାତ୍ରଛାତ୍ରୀ ବାହାରିବେ ।












Click it and Unblock the Notifications