ଅପରାଧୀଙ୍କୁ ଜଗିବା ଛାଡ଼ି ନିଘୋଡ଼ ନିଦ୍ରାରେ ଜେଲ୍ ୱାର୍ଡର, ପ୍ରଶ୍ନବାଚୀରେ ସୁରକ୍ଷା ବ୍ୟବସ୍ଥା
ଅନୁଗୁଳ: ବିଭିନ୍ନ ଅପରାଧ କରି ଜେଲ୍ ସଜା କାଟୁଛନ୍ତି ଅପରାଧୀ । ସେମାନଙ୍କ ଉପରେ ନଜର ରଖିବା ସହ ଜଗିବାକୁ ନିୟୋଜିତ ହୋଇଛନ୍ତି ଜେଲ୍ କର୍ମଚାରୀ । କିନ୍ତୁ ଅପରାଧୀଙ୍କୁ ଜଗିବା ବଦଳରେ ନିଘୋଡ଼ ନିଦରେ ଶୋଇପଡ଼ୁଛନ୍ତି ଜେଲ୍ ୱାର୍ଡର ।
ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ତାଳଚେର ଉପଖଣ୍ଡ କାରାଗାରରେ । ଜେଲ୍ ଭିତରେ 2 ଜଣ ଜେଲ୍ ୱାର୍ଡର ଶୋଇପଡ଼ିଥିବା ଫଟୋ ଭାଇରାଲ ହୋଇଛି । ଏହା ପରେ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

ଭାଇରାଲ ଫଟୋରେ ଜେଲରେ 2 ଜଣ ୱାର୍ଡର ଡ୍ୟୁଟି ସମୟରେ ନିଘୋଡ଼ ନିଦରେ ଶୋଇଥିବା ଦେଖିବାକୁ ମିଳିଛି । ଜଣେ ଚେୟାର ଉପରେ ଶୋଇଥିବା ବେଳେ ଆଉ ଜଣେ ତଳେ ଶୋଇଛନ୍ତି । ଏହି ୱାର୍ଡର ଦ୍ୱୟ ସୁନୀଲ ମଲ୍ଲିକ ଓ ତ୍ରିଲୋଚନ ଭୋଇ ବୋଲି ଜଣାପଡ଼ିଛି । କର୍ମଚାରୀ ଶୋଉଥିବା ବେଳେ ଜେଲ୍ରେ ଥିବା କଏଦୀଙ୍କୁ କିଏ ଜଗିଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅପରପକ୍ଷରେ ଜେଲ୍ ଭିତରକୁ ମୋବାଇଲ ମନା ଥିବାରୁ ଜେଲ ଭିତରୁ କେମିତି ଏ ଫଟୋ ଆସିଲା ତାକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି । ଏହି ଜେଲରେ ମୋଟ 125 ଜଣ କଏଦୀ ରହିଛନ୍ତି । ଜଗିବା ପାଇଁ ମୋଟ୍ 2 ଜଣ ୱାର୍ଡର ରହିଛନ୍ତି । ସେମାନେ ମଧ୍ୟ ଡ୍ୟୁଟି ସମୟରେ ଶୋଇ ପଡ଼ିଛନ୍ତି । ତେବେ ଏହା କେଉଁ ଦିନର ଫଟୋ ତାହା ସ୍ପଷ୍ଟ ହୋଇ ପାରି ନାହିଁ ।
ଏହି ଫଟୋ ଭାଇରଲ ହେବାରେ ଲାଗିଛି । କଡ଼ା ସୁରକ୍ଷା ମଧ୍ୟରେ ଥିବା ଜେଲ୍ ଭିତରେ ସୁରକ୍ଷା କର୍ମୀ ଶୋଇବା, ଜେଲ୍ ଭିତରକୁ ମୋବାଇଲ ଯିବା, ଫଟୋ ଭାଇରାଲ ହେବା ପରି ଘଟଣା କିପରି ଘଟିଲା ତାହା ଉପରେ କେହି ମୁହଁ ଖୋଲୁ ନାହାନ୍ତି । ସେପଟେ ଉଭୟ ୱାର୍ଡରଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସସ୍ପେଣ୍ଡ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜେଲ୍ର ଦିଲ୍ଲୀପ ବେହେରା ।












Click it and Unblock the Notifications