ଆଇ ଟି ରେଡ୍: ଟଙ୍କା ଗଣି ଗଣି ବେଦମ୍ ଆୟକର ବିଭାଗ, ଏ ଯାଏଁ ମିଳିଲାଣି 200 କୋଟି, ଆହୁରି ଅଛି ସୁନା ଗହଣା
ଭୁବନେଶ୍ୱର: ମଦ ବ୍ୟବସାୟୀଙ୍କ ଘର ଓ ସଂସ୍ଥା ଉପରେ ହୋଇଥିବା ଆୟକର ଚଢାଉରେ ମିଳିଛି ଟଙ୍କାର ପାହାଡ଼ । ପୁଳା ପୁଳା ଟଙ୍କା ସାଙ୍ଗକୁ ସୁନା ଗହଣା । ଖାଲି ଟଙ୍କା ଗଣି ଗଣି ବେଦମ୍ ହେଲେଣି ଆୟକର ବିଭାଗର ଅଧିକାରୀ । ଦୁଇ ଦିନରେ ପ୍ରାୟ 200 କୋଟିରୁ ଅଧିକ ଟଙ୍କା ମିଳିଥିବା ସୂଚନା ମିଳିଛି । ଏପରିକି ତୃତୀୟ ଦିନରେ ବି ଜାରି ରହିଛି ଚଢାଉ । ଟଙ୍କା ଗଣା ସରି ନଥିବାରୁ ସୁନା ଗହଣାର ହିସାବ ମଧ୍ୟ ହୋଇ ନାହିଁ । ଏଭଳି ସ୍ଥିତିରେ ପ୍ରାୟ 300 କୋଟିରୁ ଅଧିକ ଟଙ୍କା ଓ ସୁନା ଗହଣା ମିଳିପାରେ ବୋଲି ଆକଳନ କରାଯାଇଛି ।

ଆୟକର ଟିକସ ଫାଙ୍କି ଅଭିଯୋଗରେ ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ମଦ ପ୍ରସ୍ତୁତି ସଂସ୍ଥା ଶିବଗଙ୍ଗା ଆଣ୍ଡ କମ୍ପାନିଜ୍ର ବିଭିନ୍ନ ଶାଖା ଓ ସହଯୋଗୀ ସଂସ୍ଥାରେ ଚଢ଼ଉ ପରେ ଚକିତ କରିବାଭଳି ତଥ୍ୟ ପଦାକୁ ଆସିଛି । ବୁଧବାର ଦିନ ତିନି ରାଜ୍ୟର ବିଭିନ୍ନ ସ୍ଥାନରୁ 200 କୋଟି ନଗଦ ଟଙ୍କା ଜବତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଆହୁରି 52 କୋଟି ଟଙ୍କା ଜବତ ହୋଇଛି । ଅର୍ଥାତ୍ ଏ ପର୍ଯ୍ୟନ୍ତ 252 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠାବ ହେଲାଣି ।
ଜବତ ଟଙ୍କା ମଧ୍ୟରେ 100ଟଙ୍କିଆ, 200 ଓ 500ଟଙ୍କିଆ ନୋଟ୍ ରହିଛି। ସେପଟେ ପୁଲିସ ଆଜି କଡ଼ା ସୁରକ୍ଷା ଭିତରେ ଜବତ ଟଙ୍କାକୁ ଟ୍ରକ୍ରେ ନେଇ ବଲାଙ୍ଗୀର ଏସ୍ବିଆଇ ସରକାରୀ ଖାତାରେ ଜମା କରିଛି। ଏବେ ମଧ୍ୟ ବିଡ଼ାବିଡ଼ା ଟଙ୍କାର ଗଣତି ଚାଲିଛି। ପୂରା ଟଙ୍କାର ପରିମାଣ 300 କୋଟି ଟପିବ ବୋଲି ଆକଳନ କରାଯାଉଛି। ଚାଞ୍ଚଲ୍ୟକର ଖବରଟି ହେଲା- କେବଳ ଟଙ୍କା ନୁହେଁ, ବିଭିନ୍ନ ସ୍ଥାନରୁ ବହୁ ସୁନାଗହଣା, ସୁନା ବିସ୍କୁଟ୍ ମଧ୍ୟ ଜବତ ହୋଇଛି। ହେଲେ ଯେହେତୁ ଟଙ୍କାର ଗଣତି ସରିନାହିଁ, ତେଣୁ ସୁନାଗହଣାର ହିସାବ ଆରମ୍ଭ ହୋଇପାରୁ ନାହିଁ ।
ଏଥିସହିତ କିଛି ନେତାଙ୍କ ଛାତିରେ ଛନକା ପଶିଲାଣି । ତଦନ୍ତ ବେଳେ ଆଉ ଏକ ଦିଗ ମଧ୍ୟ ପଦାକୁ ଆସିଛି । ଅନେକ ବର୍ଷ ହେବ ସଂସ୍ଥାର ମାଲିକ ଝାଡ଼ଖଣ୍ଡରୁ ଆସି ଓଡ଼ିଶାରେ ନିଜ ମଦସାମ୍ରାଜ୍ୟ ବିସ୍ତାର କରିଥିଲେ । ପ୍ରଥମେ ଶିବଗଙ୍ଗା ଆଣ୍ଡ କମ୍ପାନିଜ୍ ନାମରେ ସଂସ୍ଥା ଆରମ୍ଭ ହୋଇଥିଲା । ପରେ ଫର୍ଚୁନ୍ ସ୍ପିରିଟ୍ ନାମରେ ଆଉ ଏକ ସଂସ୍ଥା ଖୋଲା ଯାଇଥିଲା । ସେହି ଫର୍ଚୁନ ସ୍ପିରିଟ୍ ନାମରେ କୋଟି କୋଟି ଟଙ୍କାର ଋଣ କରାଯାଇଥିଲା । ସଂସ୍ଥା କ୍ଷତି କରିଥିବା ଦର୍ଶାଯାଇ ଟଙ୍କା ହେର୍ଫେର୍ କରାଯାଇଥିଲା । ଆଉ ଏହାପରେ ସଂସ୍ଥାର 5 ମୂଳ ମାଲିକ ଓ ସେମାନଙ୍କର 7 ପୁଅଙ୍କ ନାମରେ ବୌଦ୍ଧ ଡିଷ୍ଟିଲାରି (ବିଡିପିଏଲ୍), ରାଣୀସତୀ ପ୍ୟାଡି ପ୍ରୋସେସିଂ ଭଳି ଭିନ୍ନ ଭିନ୍ନ ନାମରେ ସଂସ୍ଥା ଖୋଲାଯାଇ କୋଟି କୋଟି ଟଙ୍କାର ଅୟକର ଫାଙ୍କି କରାଯାଇଥିଲା । ଏବେ ସେହି କଳା ସାମ୍ରାଜ୍ୟର ଗୁମର ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି । ଆୟକର ବିଭାଗର 36 ଟି ଟିମ୍ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର 36ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲେ ।
ବଲାଙ୍ଗିର ଜିଲ୍ଲା ସୁଦପଡ଼ା ମଦ ଭାଟିରେ ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ଟଙ୍କା ଭର୍ତ୍ତି ସିନ୍ଦୁକ । ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ମଦ ବ୍ୟବସାୟୀଙ୍କ ଆୟକର ଫାଙ୍କି ଧରିବାକୁ ଆସିଥିବା ଅଧିକାରୀ ବିପୁଳ ପରିମାଣର ଟଙ୍କାର ସନ୍ଧାନ ପାଇଛନ୍ତି । ସମ୍ବଲପୁର, ବଲାଙ୍ଗିର, ରାଉରକେଲା, ବୌଦ୍ଧ, ସୁନ୍ଦରଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଚାଲିଛି ।
ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ? ଝାଡ଼ଖଣ୍ଡରୁ ଆସି ଓଡ଼ିଶାରେ ଏତେ ବଡ଼ କଳା ସାମ୍ରାଜ୍ୟ ଚଳାଇଥିବା ବେଳେ କେହି କେମିତି ଜାଣିପାରିଲେନି ? ଏତେ ବଡ଼ ସାମ୍ରାଜ୍ୟ ପଛରେ କିଛି ରାଜନୈତିକ ସହଯୋଗ ରହିଛି କି ସେସବୁ ଦିଗକୁ ଟିକନିଖ୍ କରି ତଦନ୍ତ ଚାଲିଛି । ଆୟକର ବିଭାଗ ଡିଜି ସଞ୍ଜୟ ବାହାଦୁର ଭୁବନେଶ୍ୱର ଥିବାରୁ ଏହି ତଦନ୍ତ ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି ।












Click it and Unblock the Notifications