ଏବର୍ଷ ନିଅଣ୍ଟିଆ ବର୍ଷା, ମାଲକାନାଗିରିରେ ସର୍ବାଧିକ ଓ ଗଞ୍ଜାମରେ ସବୁଠୁ କମ୍ ବର୍ଷା
ଭୁବନେଶ୍ୱର : ଚଳିତ ମୌସୁମୀ ଋତୁରେ ଏପର୍ଯ୍ୟନ୍ତ ହୋଇଛି ନିଅଣ୍ଟିଆ ବର୍ଷା। । ଜୁନ୍ ପହିଲାରୁ ଆଜି 23 ଜୁଲାଇ ସୁଦ୍ଧା ରାଜ୍ୟରେ 401.3 ମିମି ବର୍ଷା ରେକର୍ଡ କରାଯାଇଛି । ଏହା ସ୍ଵାଭାଵିକ ବର୍ଷା 458.8 ମିମି ତୁଳନାରେ 13 ପ୍ରତିଶତ କମ ରହିଛି । ଏହା ସ୍ୱାଭାବିକ ପରିସର ଭୁକ୍ତ । ଏ ନେଇ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ମାଲକାନାଗିରିରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ବର୍ଷା ହୋଇଛି ।

ଏହି ଅବଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ 684.4 ମିମି ସହ 42 ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ 221.8 ମିମି ସହ 36% ନିଅଣ୍ଟିଆ ରେକର୍ଡ ହୋଇଛି ।
ମୌସୁମୀ ସ୍ୱାଭାବିକ ସହ ଗତ 24 ଘଣ୍ଟାରେ ରାଜ୍ୟରେ ହାରାହାରି 14.2 ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା 9.9 ମିମି ତୁଳନାରେ 44 ପ୍ରତିଶତ ଅଧିକ ରହିଛି ।
ଏହା ସହିତ ଗତ କାଲିର ଘୂର୍ଣ୍ଣିବଳୟ ଆଜି ଦକ୍ଷିଣ ଓଡିଶା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ 3.1 କିମି ଉଚ୍ଚତାରେ ବାୟୁମଣ୍ଡଳରେ ସକ୍ରିୟ ରହିଛି । 24 ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ 25 ତାରିଖରୁ ବର୍ଷାର ପରିମାଣ ବଢିବ । ଆସନ୍ତା 24 ଘଣ୍ଟା ମଧ୍ୟରେ ସୋମବାର ଅପରାହ୍ନ ସୁଦ୍ଧା ରାଜ୍ୟର 15 ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ରାଜ୍ୟର ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ପ୍ରଭୃତି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେଥିପାଇଁ ଏହି ସମସ୍ତ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications