ଦେଶର ସର୍ବକନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତ
ବୟସ ମାତ୍ର 12 ବର୍ଷ । କିନ୍ତୁ ଦେଶ ପ୍ରତି ଥିଲା ଅହେତୁକ ଭଲ ପାଇବା । ନିଜ ଲୋକଙ୍କ ଉପରେ ଅତ୍ୟାଚାର କରୁଥିବା ଗୋରା ସରକାର ଆଗରେ ନିଁଲା ନାହିଁ ମୁଣ୍ଡ । ବୀର ସାହସ ପରି ଛାତିରେ ଖାଇଲା ଗୁଳି । ନିଜ ମାଟି ମାର ରକ୍ଷା ପାଇଁ ଦେଇଦେଲା ଆତ୍ମହୁତି । ପାଲଟିଗଲା ଦେଶର ସର୍ବକନିଷ୍ଠ ସ୍ୱାଧିନତା ସଂଗ୍ରାମୀ । ସେ ହେଲେ ବାଜି ରାଉତ । ଆଜି ବି ଇତିହାସର ପୃଷ୍ଠା ଲେଉଟାଇଲେ ସ୍ୱାଧିନତା ସଂଗ୍ରାମୀଙ୍କ ମଧ୍ୟରେ ବାଜି ରାଉତଙ୍କ ନାଁ ଆସେ ।

1926 ମସିହା ଅକ୍ଟୋବର 5 ତାରିଖ ଦିନ ଢେଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ବାଜି ରାଉତଙ୍କ ଜନ୍ମ । ପିଲା ବେଳୁ ବାପାଙ୍କୁ ହରାଇ ମା'ଙ୍କ ଦ୍ୱାରା ପାଳିତ ହେଇଥିଲେ । ପରିବାରରେ ଚାଷବାଷ ପାଇଁ ଜମି ନ ଥିଲା । ମା' ଅନ୍ୟଘରେ କାମକରି ତାଙ୍କୁ ପାଳୁଥିଲେ । ସେ ଯେତେବେଳେ ଜାଣିବା ଶୁଣିବା ହେଲେ ସେତେବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବମାନଙ୍କ ଉପରେ ଅତ୍ୟାଚାର କରୁଥିବା ସେ ଅନୁଭବ କଲେ ।
ଯେତେବେଳେ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ । ଏଥିରେ ଏକ ଦଳ ଥିଲା ଯାହାକୁ ବାନର ସେନା କୁହାଯାଉଥିଲା । ଏଥିରେ ଛୋଟ ପିଲାମାନେ ଯୋଗ ଦେଉଥିଲେ । ସେତେବେଳେ ବାଜି ରାଉତ ସେହି କୋମଳ ବୟସରେ ଏଥିରେ ଯୋଗ ଦେଇଥିଲେ । ସେ ଇଂରେଜମାନଙ୍କୁ ଡଙ୍ଗାରେ ନଦୀ ପାରିକରିବାକୁ ମନା କରି ଛାତିରେ ଗୁଳି ଖାଇ ଦେଶ ପ୍ରେମର ଉଦାହରଣ ଦେଇଗଲେ । ତେବେ ଆସନ୍ତୁ ଏହି କୁନି ଶହୀଦଙ୍କ ବିଷୟରେ ଜାଣିନେବା ।
ଇଂରେଜ ସରକାରଙ୍କ ରାଜତ୍ୱ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତ ହେଉଥିଲେ । ସେତେବେଳେ ଇଂରେଜ ସରକାର ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ । ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡଜାତ ଅଞ୍ଚଳରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ ।
ଏହି ଦୁଇଭାଗ ମଧ୍ୟରୁ ଗଡଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା । ଗଡଜାତ ରାଜ୍ୟର ରାଜା ତଥା ପାରିଷଦବର୍ଗଙ୍କ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ଯୋରଜବରଦସ୍ତ ଟିକସ ଆଦାୟ, ମନମୁଖି ଶାସନ, ମିଥ୍ୟା ମୋକଦ୍ଦମା ଆଦିରେ ଜର୍ଜରିତ ହେଉଥିଲେ ଗଡଜାତବାସୀ । ବେଳେ ବେଳେ ଏହି ଶୋଷଣ କଷଣର ଫଳସ୍ୱରୁପ ପୁଞ୍ଜୀଭୁତ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ବିସ୍ପୋରଣର ରୂପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାହାକୁ କଳେବଳେ କୌଶଳେ ଦମନ କରିନେଉଥିଲେ।
1938 ମସିହା ଅକ୍ଟୋବର ମାସ 11 ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ସେ ପ୍ରଜାମଣ୍ଡଳର ସିପାହୀ ସାଜିଥିଲେ । ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୂରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜମାନେ ଯେପରି ନଦୀ ପାର ନ ହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାରି କରାଇବ ।
ଯେତେବେଳେ ପୋଲିସ ପ୍ରଜା ମଣ୍ଡଳ ଆନ୍ଦୋଳନ ଦମନ କରିବାକୁ ଆସିଲେ ଆଉ ସେମାନଙ୍କ ଆଦେଶ ସତ୍ତ୍ୱେ ବାଜି ରାଉତ ଘାଟରୁ ଡଙ୍ଗା ଫିଟାଇଲେ ନାହିଁ । ପୋଲିସର ଧମକ ସତ୍ତ୍ୱେ କିଛି ଲାଭ ନ ହେବାରୁ, ସେମାନେ ବାଜିଙ୍କୁ ସେଇଠି ଗୁଳି କରି ହତ୍ୟା କଲେ ।
ବାଜି ରାଉତଙ୍କ ଚିତ୍କାରରେ ସେତେବେଳକୁ ଅନେକ ଲୋକ ଆସିଯାଇଥିଲେ । ସେମାନେ ଡଙ୍ଗାକୁ ବାନ୍ଧି ରଖିଲେ । ପୋଲିସ ଛୁରୀରେ ଡଙ୍ଗା ଦଉଡି କାଟି ମଝି ନଈକୁ ଡଙ୍ଗା ବୋହିନେଲେ । ଡଙ୍ଗା ମଝି ନଈରେ ଥିବାବେଳେ ସେମାନେ କୂଳରେ ଥିବା ଲୋକଙ୍କୁ ଗୁଳି ଚାଳନା କଲେ । ସେଇଠି ଟଳି ପଡିଲେ ନିଳକଣ୍ଠପୁର ଗାଁର ଆଉ କେତେ ଜଣ। ଦେଶ ପାଇଁ ଛୁଆ ବଡ଼ ମିଶି ସାତ ଜଣ ଶହୀଦ ହୋଇଗଲେ ।
ଦେଶର ସେବା ପାଇଁ ଜୀବନ ଦେଇ ସ୍ବର୍ଣ୍ଣିମ ଅକ୍ଷରରେ ସବୁ ଦିନ ପାଇଁ ଚୀର ଅମର ହୋଇ ରହିଛନ୍ତି ବାଳୁତ ବୀର ସହିଦ ବାଜି ରାଉତ। ଶହିଦ ବାଜି ରାଉତଙ୍କ ଜୟନ୍ତୀରେ ନନ୍ଦିଘୋଷ ଟିଭିର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।












Click it and Unblock the Notifications