ଆଜି ଠାରୁ ଆରମ୍ଭ କାର୍ତ୍ତିକ ମାସ, ପୁରୀରେ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ପୁରୀ : ଆଜିଠୁ ଆରମ୍ଭ ହେଉଛି ମହାକାର୍ତ୍ତିକ । ଏହା ଆଗରୁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି । ହବିଷ କରିବା ଲାଗି ପୁରୀରେ ପହଞ୍ଚିଛନ୍ତି ଶହ ଶହ ହବିଷ୍ୟାଳୀ । ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ହବିଷ୍ୟାଳୀମାନେ ପଞ୍ଚତୀର୍ଥରେ ସାନ୍ନ ସହ କାର୍ତ୍ତିକ ବ୍ରତ ସଂଙ୍କଳ୍ପ କରିବା ପରେ ତୁଳସୀ ଗଛ ମୂଳରେ ରାଇଦାମୋଦର ପୂଜା କରିଛନ୍ତି । ଏଥିସହ ଫଳ ମୂଳ ନୈବେଦ୍ୟ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମାକୁ ପୂଜା କରିଛନ୍ତି । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି ବ୍ରତଧାରୀ । ହବିଷ୍ୟାଳୀଙ୍କ ସହଜ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସେହିପରି ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ମନ୍ଦିର ଓ ହବିଷ୍ୟାଳୀ ଶିବିରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଏକ ମାସଧରି ହବିଷ କରି ରାଇଦାମୋଦର ପୂଜା କରି ଆକାଶ ଦୀପ ଜଳାଇବେ ବ୍ରତଧାରୀ ।
ଚଳିତ ବର୍ଷ 3 ହଜାରରୁ ଅଧିକ ହବିଷ୍ୟାଳୀ ପଞ୍ଜିକରଣ କରିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରତଧାରୀ ମାନଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂରେ ହବିଷ୍ୟାଳୀ ଶିବିରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ବ୍ରତଧାରୀଙ୍କ ପାଇଁ ମାଗଣା ଖାଇବା , ରହିବା, ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହ ମହାପ୍ରସାଦ ସେବନ ଏବଂ ଶ୍ରୀଜିଉଙ୍କ ଦର୍ଶନ ଉପରେ ମଧ୍ୟ ଗୁରୁତ୍ୱ ଦେଇଛି ପ୍ରଶାସନ ।












Click it and Unblock the Notifications