ରାଜଧାନୀରେ ହିଟ୍ ଆଣ୍ଡ୍ ରନ୍: ଫୁଟ ପାଥରେ ଚଢିଗଲା କାର୍, ଜଣେ ମୃତ
ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ହିଟ୍ ଆଣ୍ଡ ରନ୍ । ଫୁଟ୍ ପାଥ ଉପରେ ମଡାଇଦେଲା କାର୍ । ଚାଲିଗଲା ଜଣେ ଶ୍ରମିକଙ୍କ ଜୀବନ । ଏମିତି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ରାଜମହଲ ଛକରେ । ଫୁଟ୍ପାଥ୍ରେ ଶୋଇଥିବା ବେଳେ ଜଣକ ଉପରେ ଚଢ଼ି ପଳାଇଛି ଏକ କାର୍ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଏବେ ବି ଫୁଟପାଥରେ ଗାଡି ଚଢାଇ ଦେବାର ଚକା ଦାଗ ରହିଛି ।

ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଫୁଟପାଥରେ ଜଣେ ଶ୍ରମିକ ଶୋଇଥିବା ବେଳେ ତାଙ୍କ ଉପରେ ଗାଡି ଚଢାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନି । ଶ୍ରମିକ ଜଣକ ପିପିଲି ଅଞ୍ଚଳର ବୋଲି ଜଣାଯାଇଛି । ପରିଚୟ ପାଇଁ ମୃତକଙ୍କ ଫଟୋକୁ ସାର୍ବଜନୀନ କରିଛି ପୋଲିସ । ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇଛି ପୋଲିସ ।
ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗତକାଲି ରାତିରେ ମୃତକ ଫୁଟପାଥରେ ଶୋଇଥିଲେ । ହେଲେ ରାତି ପାଖାପାଖି 1.40 ରେ ଏକ ନାଲି ରଙ୍ଗର ଗାଡ଼ି ଆସି ଶୋଇଥିବା ଶ୍ରମିକଙ୍କୁ ଘୋଷାଡ଼ି ନେଇଥିଲା । ମୃତ ଶ୍ରମିକଙ୍କ ସହ ଆଖପାଖରେ ମଧ୍ୟ ଶୋଇଥିଲେ ଶ୍ରମିକ । ହେଲେ ସେମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
କିଏ ଶ୍ରମିକଙ୍କ ଉପରେ କାର୍ ମଡ଼ାଇ ପଳାଇଲା, ତାହା ପଡ଼ିନାହିଁ । କମିଶନରେଟ୍ ପୋଲିସ ଏନେଇ ଖୋଳତାଡ ଆରମ୍ଭ କରିଛି ।












Click it and Unblock the Notifications