ବରଗଡ଼ରେ ହସିବ ସବୁଜ କ୍ଷେତ, ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ପହଞ୍ଚିଲା ହୀରାକୁଦର ପାଣି
ବରଗଡ଼: ଆଉ କେବଳ ବର୍ଷା ଜଳ ଉପରେ ଭରଷା କରିବାକୁ ପଡ଼ିବନି । ଚାଷୀଙ୍କ କ୍ଷେତରେ ପହଞ୍ଚିବ ହୀରାକୁଦ ପାଣି । ଫଳରେ ଚାଷ କାମରେ ଆଉ ପାଣି ସମସ୍ୟା ଦେଖାଦେବ ନାହିଁ । ଏହି ମହତକାଂକ୍ଷୀ ଯୋଜନା ଖୁବ୍ ଶୀଘ୍ର ଲୋକାର୍ପଣ ହେବ ।
ଏଣିକି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରୁ ବରଗଡ ଓ ସୁବର୍ଣ୍ଣପୁରର ଜିଲ୍ଲାର ଡୁଙ୍ଗୁରୁପାଲି ବ୍ଲକର ଚାଷୀ ପାଇବେ ପାଣି । 3 ଦିନରେ ଚାଷୀଙ୍କ ଜମିରେ ପହଞ୍ଚିବ ପାଣି । ଏହା ପୂର୍ବରୁ ବରଗଡ଼ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ପହଞ୍ଚିଛି ହୀରାକୁଦର ପାଣି ।

ଏହି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ବରଗଡ଼ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାର ଜମି ଜଳସେଚିତ ହେବ । ଏହି ପ୍ରକଳ୍ପ ଦ୍ବାରା ବିଶେଷ କରି ଅଣଜଳସେଚିତ ସୋହେଲା ଓ ବିଜେପୁର ବ୍ଲକ ଲାଭବାନ ହେବ । ଚାଷୀମାନେ ଖରିଫ ସହ ରବି ଚାଷ ପାଇଁ ଜଳସେଚନର ସୁବିଧା ପାଇପାରିବେ । ବିଶେଷ କରି ଡାଲି ଜାତୀୟ ତଥା ତୈଳବୀଜ ସହ ଅନ୍ୟାନ୍ୟ ଫସଲ କରି ଚାଷୀମାନେ ସ୍ବାବଲମ୍ବୀ ହୋଇପାରିବେ ।
ସୂଚନାଥାଉକି, ଗଙ୍ଗାଧର ମେହେର ଉଠା ଜନସେଚନ ପାଇଁ ମୋଟ 1671 କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିଲେ ରାଜ୍ୟ ସରକାର । ଏଥି ମଧ୍ୟରୁ 381 କୋଟି ଟଙ୍କା ହୀରାକୁଦର ଜିରୋ ଆରଡିରୁ ତୁରୁଙ୍ଗା ପର୍ଯ୍ୟନ୍ତ କାର୍ଯ୍ୟ କରାଯାଇଥିବା ବେଳେ, ତୁରୁଙ୍ଗାରୁ ସମଗ୍ର ପ୍ରକଳ୍ପ ପାଇଁ 1290 କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ପ୍ରକଳ୍ପ ଦ୍ବାରା 20 କ୍ୟୁମେକ୍ସ ଜଳଯୋଗାଣ ହୋଇପାରିବ । ପାଇପ ଲାଇନ ଜଳସେଚନରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ ଭାବେ ଉଭା ହେବାକୁ ଯାଉଛି । ଏହି ପ୍ରକଳ୍ପ ଦ୍ବାରା 4ଟି ବ୍ଲକର 129 ଗାଁର ପ୍ରାୟ 25 ହଜାର 600 ହେକ୍ଟର ଜମି ଜଳସେଚିତ ହେବ ।












Click it and Unblock the Notifications