କୋକେନ୍ ଜବତ ଘଟଣା : ଏମ୍ଭି ଦେବୀ ଜାହାଜକୁ ବାନ୍ଧିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଗିରଫ ହେବ ଜାହାଜ । କୋକେନ୍ ଜବତ ଘଟଣାରେ ପାରାଦ୍ୱୀପ ବନ୍ଦରରେ ଅଟକିଥିବା ଏମ.ଭି ଦେବୀ ଜାହାଜକୁ ତୁରନ୍ତ ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଥ ଦେୟ ଏବଂ ଅନ୍ୟାନ୍ୟ ଶୁଳ୍କ ବାବଦୀୟ ମାମଲା ପ୍ରସଙ୍ଗରେ ଶୁଣାଣି କରି ଗତକାଲି ହାଇକୋର୍ଟ ଏଭଳି ଅନ୍ତରୀଣ ଆଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଚୂଡ଼ାନ୍ତ ନିଷ୍ପତ୍ତି ନ ଆସିବା ଯାଏ ଜାହାଜଟି ପାରାଦୀପରେ ଅଟକି ରହିବ ।

ଜାହାଜର ମାଲିକଙ୍କଠାରୁ ପ୍ରାୟ ସାଢେ 8 କୋଟିର ଟଙ୍କା ନିଜର ବକେୟା ପ୍ରାପ୍ୟ ପାଇବାକୁ ହାଇକୋର୍ଟ ଯାଇଥିଲା ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ । ଗତ ନଭେମ୍ବର 30ରୁ ଏଯାଏ ଜାହାଜଟିକୁ ଜବତ କରି କଷ୍ଟମ୍ସ ବିଭାଗ ପାରାଦୀପ ପୋର୍ଟ ଆଙ୍କରେଜରେ ରଖିଛି । ସେଥିରେ 21 ଜଣ ଯାକ କ୍ରିଉ ମେମ୍ବର ପ୍ରାୟ 3 ମାସ ହେଲାଣି ମଧ୍ୟ ଅଟକି ରହିଛନ୍ତି ।
ସୂଚନା ଅନୁସାରେ, ଗତ ନଭେମ୍ବର 30 ରେ ପାରାଦୀପ ବର୍ଥରେ ଲାଗିଥିଲା ଏମ.ଭି ଦେବୀ ଜାହାଜ । ସେଥିରେ କୋକେନ ଥିବା ଜଣାପଡ଼ିଥିଲା । କଷ୍ଟମସ୍ ବିଭାଗ ଜାହାଜରୁ 220 କୋଟିର କୋକେନ ଜବତ କରିବା ସହ ତାହାକୁ କୁଜଙ୍ଗ କୋର୍ଟରେ ଜମା କରିଥିଲା । ଏହାପରେ ଜାହାଜକୁ ବ୍ୟାଜାପ୍ତି କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଥିଲା । ସେବେଠାରୁ ଏହି ଜାହାଜଟି ପାରାଦୀପ ବନ୍ଦରର ଆଙ୍କରେଜରେ ଅଟକି ରହିଛି ।
ଏନେଇ ହାଇକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ ବନ୍ଦର ପରିଚାଳନା କର୍ତ୍ତୃପକ୍ଷ । ଜାହାଜକୁ ମୁକୁଳାଇବାକୁ ନିବେଦନ କରିଥିଲେ । ଜାହାଜଟି ଅଟକି ରହିଥିବାରୁ କ୍ଷତି ହେଉଥିବା ଦର୍ଶାଇ କୋର୍ଟରେ ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି କରି କୁଜଙ୍ଗ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ 100 କୋଟିର ବଣ୍ଡ ଏବଂ 10 କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ବଦଳରେ ଜାହାଜ ମୁକୁଳାଇ ନେବାକୁ ଚଳିତ ମାସ 13 ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଜାହାଜକୁ ବିକ୍ରି କରି ହେବନି, ରଙ୍ଗ ବଦଳାଇ ହେବନି ବୋଲି ସର୍ତ୍ତ ରଖିଥିଲେ ।
ହାଇକୋର୍ଟ ମାମଲାର ଶୁଣାଣି କରି ସମ୍ପୃକ୍ତ ଜାହାଜକୁ ଗିରଫ କରିବାକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ 7 ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ଜାହାଜ ପାଇଁ ଜଟିଳତା ବଢିଛି । ସେପଟେ ଏପର୍ଯ୍ୟନ୍ତ କୋକେନ୍ ରହସ୍ୟ ଉପରୁ ପରଦା ଉଠିପାରିନାହିଁ ।












Click it and Unblock the Notifications