ମୌସୁମୀ ସହ ଲଘୁଚାପ ବର୍ଷା, ପାଣି ଘେରରେ କଟକ ସହର
କଟକ: ସାରା ରାଜ୍ୟରେ ଲାଗି ରହିଛି ମୌସୁମୀ ବର୍ଷା । ଏହା ସହିତ ସକ୍ରିୟ ହୋଇଛି ଲଘୁଚାପ । ଫଳରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି ।
ବର୍ଷା ଫଳରେ ତଳିଆ ଅଞ୍ଚଳରେ ପାଣି ଜମି ରହୁଛି । କଟକ ସହରର ବିଭିନ୍ନ ସାହି ଓ ତଳିଆ ଅଞ୍ଚଳରେ ବର୍ଷା ଜଳ ଜମିବାରୁ ଜଳବନ୍ଦୀ ସ୍ଥିତି ଉପୁଜିଛି ।

ବିଶେଷ କରି ସୂତାହାଟ, ପଟ୍ଟାପୋଲ, ଓଡ଼ିଆ ବଜାର, ଗମ୍ମାଢିଆ ଭଳି ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ବର୍ଷା ଋତୁ ଆରମ୍ଭରୁ ଏପରି ଜଳବନ୍ଦୀ ସମସ୍ୟା ଅଞ୍ଚଳର ଲୋକଙ୍କୁ ଚିନ୍ତାରେ ପକାଇଛି । ନାଳ ନିଷ୍କାସନ ସହ ଅଧିକ ମଟର ପମ୍ପ ଲଗାଇ ପାଣି ନିଷ୍କାସନ ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି ।
ସେହିପରି ମୌସୁମୀ ବର୍ଷାରେ କେନ୍ଦୁଝର ତେଲକୋଇରେ ବି ପ୍ରଭାବ ପଡ଼ିଛି । ପୋଲ ଉପରେ ଚାଲୁଛି 2 ଫୁଟ୍ ର ପାଣି । ପ୍ରବଳ ବର୍ଷା ଫଳରେ ଗୋଟିଏ ପଞ୍ଚାୟତର 6ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ତେଲକୋଇ ଅଞ୍ଚଳରେ ଗତ 24 ଘଣ୍ଟାରେ 86.4 ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ବର୍ଷାଜଳ ପୋଲ ଉପରେ ପ୍ରବାହିତ ହେବା ଫଳରେ ସରେଇ, କରଦାଙ୍ଗି, ଶାମନାଳି, କମଳାବଣି, ଖଳି ଢ଼ିପସାହି, ଚକଧର, ମହାନ୍ତ ସାହି ପ୍ରଭୃତି ଗାଁ ଓ ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି ।












Click it and Unblock the Notifications