ଭିଜିବ ଦଶହରା... 20 ରେ ଆସୁଛି ଆଉ ଏକ ଲଘୁଚାପ
ଭୁବନେଶ୍ୱର: ଏଥର ବର୍ଷାରେ ଭିଜିବ ଦଶହରା । 20 ଅକ୍ଟୋବରରେ ଆସିପାରେ ଆଉ ଏକ ଲଘୁଚାପ । ଏହା ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ସହ ଅନ୍ୟ କେତେକ ଅଞ୍ଚଳରେ ବର୍ଷା ହୋଇପାରେ ।
ବର୍ତ୍ତମାନ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ତା'ର ପାଶ୍ୱର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଧୀରେ ଧୀରେ ଉତ୍ତର ଉତ୍ତର- ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ 20 ଅକ୍ଟୋବର ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ବୁଲେଟିନ୍ରେ କୁହାଯାଇଛି ।

ଦକ୍ଷିଣ ପୂର୍ବ ଆରବ ସାଗର ଏବଂ ଏହାର ସଂଲଗ୍ନ ଲାକ୍ଷାଦ୍ୱୀପ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ 3.1 କିଲୋମିଟର ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା 36 ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର 21 ତାରିଖ ବେଳକୁ କେନ୍ଦ୍ରୀୟ ଆରବ ସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।
ଯାହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା କ୍ରମଶଃ ଆନ୍ଧ୍ର-ତାମିଲନାଡୁ ଆଡକୁ ଗତି କରିବ । 20 ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ପୂଜାକୁ ଫିକା କରିବାର ଆଶଙ୍କା କରାଯାଉଛି ।
ସେପଟେ କୃଷି ପାଣିପାଗ ବିଶାରଦ ଡକ୍ଟର ପଶୁପାଳକ କହିଛନ୍ତି, ଚଳିତ ବର୍ଷ ବିଳମ୍ବରେ ଶୀତ ଆସିବ । ଏଲ-ନିନୋ ପ୍ରଭାବ ଯୋଗୁ ଶୀତ ମଧ୍ୟ କମ ରହିବ । ଏବଂ ଶୀତ ବିଳମ୍ବରେ ଆସି ଶୀଘ୍ର ପଳାଇବ । ଅନ୍ୟ ପକ୍ଷରେ ଖରା ଏବଂ ଗରମ ଆଗୁଆ ଅନୁଭୂତ ହେବ । ଶୀତ ଋତୁରେ ହେଉଥିବା ବର୍ଷା ବି ଏଥର କମ ହେବ ବୋଲି ସେ ଆକଳନ କରିଛନ୍ତି ।












Click it and Unblock the Notifications