ଆହୁରି 4-5 ଦିନ କମିବନି ତାତି, 8 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଏବେ କମିବନି ତାତି । ଆହୁରି 4-5 ଦିନ ତାତିରୁ ମିଳିବନି ନିସ୍ତାର । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି । ଏପରିକି କେତେକ ସ୍ଥାନରେ ତାପମାତ୍ରା 4-6 ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ 15 ତାରିଖ ଅପରାହ୍ନ ପର୍ଯ୍ୟନ୍ତ 8 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ ନୂଆପଡ଼ା ଓ ସୁନ୍ଦରଗଡ଼ ରହିଥିବାବେଳେ କେନ୍ଦୁଝର, ମୟୂରଭଞ୍ଜ ଅନୁଗୁଳ, ଦେବଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସମ୍ବଲପୁର, ଝାରସୁଗୁଡା, ବରଗଡ, ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲାକୁ ଆଗାମୀ 2 ଦିନ ପାଇଁ ଉଷ୍ମ-ରାତି ସକାଶେ ଚେତାବନୀ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକରେ ଦିନ ତାପମାତ୍ରା 40 ଡ଼ିଗ୍ରୀ ରୁ ଅଧିକ ରହିବା ସହ ରାତ୍ରି ତାପମାତ୍ରା ସ୍ୱାଭାବିକ ତୁଳନାରେ 4-5 ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହେବା ସମ୍ଭାବନା ରହିଛି ।
ଗ୍ରୀଷ୍ମ ପ୍ରବାହ ସମୟରେ ଅଂଶୁଘାତର ଆଶଙ୍କା ରହିଥିବାରୁ ଦିନ 11 ଟାରୁ ଅପରାହ୍ନ 3 ଟା ମଧ୍ୟରେ ବାହାରକୁ ଯିବା ସମୟରେ ସତର୍କତାମୂଳକ ପଦକ୍ଷେପ ନେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications