Heat Wave: ଆହୁରି 2 ଦିନ ଜାଳିବ, 7 ରୁ ବଦଳିବ ପାଗ
Heat Wave: ଡହଡହ ଖରାରେ ସିଝୁଛି ଓଡ଼ିଶା । ଅସହ୍ୟ ଗରମ ଓ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ରାଜ୍ୟବାସୀ । କେବଳ ଦିନରେ ନୁହଁ ରାତିରେ ମଧ୍ୟ ତାପମାତ୍ରା ସ୍ୱାଭାବକ ଠାରୁ 5-6 ଡିଗ୍ରୀ ବଢିଯାଉଛି । ଫଳରେ ତାତିରେ ଛଟପଟ ହେଉଛନ୍ତି ଲୋକ ଓ ଜୀବଜନ୍ତୁ ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା 42 ଡିଗ୍ରୀ ସେଲସିୟସ୍ ଛୁଇଁଛି । 11 ସହରରେ ପାରଦ 40 ଟପିଛି । ଆଉ 10 ସହରରେ ଗୁରୁବାର ଦିନ ତାପମାତ୍ରା 38-40 ଡିଗ୍ରୀ ଭିତରେ ଥିଲା । ଆଗକୁ ଆହୁରି ଗରମ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପାରଦ 43 ଛୁଇଁଯିବ । ଉପକୂଳ ବି 40 ଡିଗ୍ରୀରେ ସିଝିବ ।
ଗୁରୁବାର ବୌଦ୍ଧ ଓ ମାଲକାନଗିରି ସହର 42 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ସିଝିଲା । ଉପକୂଳ ଓଡ଼ିଶା ବି ଗରମରେ ଆଉଟୁପାଉଟୁ ହୋଇଛି । ଅନୁଗୁଳ 41.7, ଝାରସୁଗୁଡ଼ା 41.6, ସୁନ୍ଦରଗଡ଼ 40.1, ତାଳଚେର 40, ଭବାନୀପାଟଣା 41, ବଲାଙ୍ଗୀର 41.7, ଟିଟିଲାଗଡ଼ 41, ନୂଆପଡ଼ା 40.4, ରାଉରକେଲା 40.2 ଡିଗ୍ରୀ ସେଲସିୟସରେ ସିଝିଥିଲା ।
ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ କିନ୍ତୁ ଗରମ କମିବ ନାହିଁ । ଗତକାଲି କଳାହାଣ୍ଡି ଜିଲ୍ଲା କୋକସରାରେ ସର୍ବାଧିକ 35 ମିଲମିଟର ବର୍ଷା ରେକର୍ଡ କରାଯାଇଛି । ଆସନ୍ତା 7 ତାରିଖ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀର ପ୍ରଭାବ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ।
ଏପ୍ରିଲ 7 ଓ 8 ତାରିଖ ବର୍ଷାର ପ୍ରଭାବ ଧିରେ ଧିରେ ବୃଦ୍ଧି ପାଇବ । ବିଜୁଳି ଘଡଘଡି ସହ ବର୍ଷା ଓ ପବନ ବହିବାର ସମ୍ଭାବନା ରହିଛି । 7 ତାରିଖ ପରେ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । ଏପଟେ ପ୍ରବଳ ଖରା ଯୋଗୁ ଅଂଶୁଘାତ ହେବାର ଭୟ ରହିଛି । ଏ ନେଇ ମାର୍ଗଦର୍ଶିକା ଜାରି କରିଛି ଜନସ୍ୱାସ୍ଥ୍ୟ ବିଭାଗ । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ରହିବ ଅଂଶୁଘାତ ପାଇଁ 6ଟି ସ୍ୱତନ୍ତ୍ର ବେଡ୍ । ସେହିଭଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ 2ଟି ଓ ପ୍ରାଥମିକ ସ୍ୱାସ୍ଥ୍ୟକେଦ୍ରରେ ଗୋଟିଏ ବେଡ୍ ରହିବ । ଏହାସହ ଆବଶ୍ୟକୀୟ ଔଷଧ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications