Heat Wave: ରାଜ୍ୟରେ 40 ପାର୍ ପାରଦ, ଆହୁରି 3 ଦିନ କଲବଲ କରିବ ତାତି
Heat Wave: ତତଲା କଡ଼େଇରେ ଛଟପଟ ହେଉଛି ସାରା ଓଡ଼ିଶା । ପ୍ରଚଣ୍ଡ ଖରା ସହ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ଦିନରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ଏପରିକି ରାତିରେ ବି ତାପମାତ୍ରା ସ୍ୱାଭାବିକ ଠାରୁ 5-6 ଡିଗ୍ରୀ ଅଧିକ ରହୁଛି ।

ଏଥି ମଧ୍ୟରେ ଆଗାମୀ ଦିନରେ ପାରଦ ଆହୁରି ଉପରମୁହାଁ ହୋଇପାରେ । ଏ ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ହିଟୱେଭ୍ ଜାରି କରାଯାଇଛି । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ତାପମାତ୍ରା 43 ଡିଗ୍ରୀ ଛୁଇଁ ପାରେ ବୋଲି ଅନୁମାନ କରାଯାଇଛି । ଅପରପକ୍ଷରେ ଗରମ ସହ ଅନେକ ସ୍ଥାନରେ 50-70 ପ୍ରତିଶତ ଆର୍ଦ୍ରତା ରହୁଛି ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ନୟାଗଡ, ବୌଦ୍ଧ, କନ୍ଧମାଳ, କଟକ, ଯାଜପୁର ଓ ଭଦ୍ରକକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଉଷ୍ମ ରାତିର ସ୍ଥିତିକୁ ନେଇ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, କଳାହାଣ୍ଡି ଓ ନୟାଗଡରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଛୋଟପିଲା, ବୟସ୍କ, ରୋଗାକ୍ରାନ୍ତ ଓ ଗର୍ଭବତୀ ମହିଳାଙ୍କୁ ଖରାକୁ ବାରଣ କରାଯାଇଛି ।
ଅନ୍ୟପଟେ ଏପ୍ରିଲ 6 ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ପ୍ରଭାବରେ 6 ରୁ 9 ତାରିଖ ଯାଏଁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ ଓଡ଼ିଶାରେ ଗତକାଲି ଅନେକ ସ୍ଥାନରେ ତାପମାତ୍ରା 40 ପରେ ରହିଥିଲା । 10 ଟି ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଥିବା ବେଳେ ତାପମାତ୍ରା 41.8 ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ମାଲକାନଗିରିରେ ତାପମାତ୍ରା 41.6 ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ ଓ ବଲାଙ୍ଗୀରରେ 41.5 ଡିଗ୍ରୀ ରେକର୍ଡ କରାଯାଇଛି । ଅନୁଗୁଳରେ 41.3 ଡିଗ୍ରୀ, ଝାରସୁଗୁଡ଼ାରେ 40.8 ଡିଗ୍ରୀ, ନୟାଗଡ଼ରେ 40.6 ଡିଗ୍ରୀ, ଉଭୟ ସମ୍ବଲପୁର ଓ ତାଳଚେରରେ 40.4 ଡିଗ୍ରୀ ରହିଛି । ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା 36.8 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ତାପମାତ୍ରା 38.2 ଡିଗ୍ରୀରେ ପହଞ୍ଚିଛି ।












Click it and Unblock the Notifications