Heat Wave: ରାଜ୍ୟରେ ବଢିବ ତାତି, ଆସନ୍ତା କାଲି ଠୁ ବଢିପାରେ 2-3 ଡିଗ୍ରୀ
Heat Wave in Odisha: ରାଜ୍ୟର ଶୁଖିଲା ରହିଛି ପାଗ । ଏହା ସହ ବଢୁଛି ଗ୍ରୀଷ୍ମ ପ୍ରବାହର ପ୍ରକୋପ । ପାରଦ ଉପରମୁହାଁ ହେବା ସହ ରାଜ୍ୟରେ ବଢୁଛି ତାତି । ଏଥି ମଧ୍ୟରେ ଆସନ୍ତାକାଲି ଠାରୁ ଆହୁରି ତାତି ବଢିପାରେ । ଏପରିକି ରାତିର ତାପମାତ୍ରା ମଧ୍ୟ 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ।

କାଲିଠୁ ପୁଣି ତାତି ବଢି ଅଧିକାଂଶ ସହରର ତାପମାତ୍ରା 35 - 39 ଡିଗ୍ରୀ ମଧ୍ୟରେ ରହିବ । ବିଶେଷ କରି ନୟାଗଡ, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରି, ନୂଆପଡା, ବଲାଙ୍ଗିର, ପାରଳାଖେମୁଣ୍ଡି ସହରର ତାପମାତ୍ରା 39 ଡିଗ୍ରୀ ରହିପାରେ । ଆକଳନ ଅନୁସାରେ ଆସନ୍ତା ଏପ୍ରିଲ ମାସ ଆରମ୍ଭରୁ ଅସମ୍ଭାଳ ତାତି ହେବ । ଆଭ୍ୟନ୍ତରୀଣ ଓଡ଼ିଶାର ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ଗଜପତି ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱରରେ 40 ଡିଗ୍ରୀ ଛୁଇଁବ ତାପମାତ୍ରା ।
ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହା ପରେ 31 ତାରିଖ ବେଳକୁ ମୟୁରଭଞ୍ଜ, ସୁନ୍ଦରଗଡ , ଭଦ୍ରକ , ଯାଜପୁର ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications