ଦିନ 11.30 ସୁଦ୍ଧା ଜଳିଲାଣି ଓଡ଼ିଶା, ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର, ଜାଣନ୍ତୁ ଆପଣଙ୍କ ଅଞ୍ଚଳ ତାପମାତ୍ରା
Heat Wave: କଲବଲ କଲାଣି ତାତି । ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଏପରିକି ଦିନ 11.30 ସୁଦ୍ଧା 36 ଡିଗ୍ରୀ ଟପିଛି ତାପମାତ୍ରା । ଏହା ସହ ପାରଦ ଆହୁରି ଉପରମୁହାଁ ହୋଇପାରେ ହୋଇପାରେ ବୋଲି ଆକଳ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦିନ 11.30 ସୁଦ୍ଧା ଚାନ୍ଦବାଲି ପାଲଟିଛି ସବୁଠାରୁ ଉତ୍ତପ୍ତ ସହର । ଏଠାରେ ତାପମାତ୍ରା 36.2 ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱର ଓ କେନ୍ଦୁଝରରେ 36 ଡିଗ୍ରୀ ଛୁଇଁଛି ପାରଦ । ସେହିପରି ଝାରସୁଗୁଡ଼ା ରେ 35.4 ଡିଗ୍ରୀ, ସମ୍ବଲପୁରରେ 35.2 ଡିଗ୍ରୀ, ହୀରାକୁଦରେ 34.6 ଡିଗ୍ରୀ, ବାଲେଶ୍ୱରରେ 34.2 ଡିଗ୍ରୀ, ରାଉରକେଲାରେ 33.4 ଡିଗ୍ରୀ, ପୁରୀରେ 32.4 ଡିଗ୍ରୀ, ପାରାଦ୍ୱୀପରେ 31.4 ଡିଗ୍ରୀ ଓ ଗୋପାଳପୁରରେ 30.8 ଡିଗ୍ରା ରହିଛି ତାପମାତ୍ରା ।
ଏହା ବାଦ୍ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ଦୁଇ ଦିନ ମଧ୍ୟରେ ପାରଦ 40 ଡିଗ୍ରୀଟପିପାରେ । ଗତ ଦୁଇ ଦିନରେ ଅଧିକାଂଶ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ହୋଇଥିବା ବେଳେ ଆଗକୁ ଆହୁରି ବଢିବ ।
ସେପଟେ ତାପମାତ୍ରା ବୃଦ୍ଧି ଓ ଜଳୀୟବାଷ୍ଫପୂର୍ଣ୍ଣ ବାୟୁର ପ୍ରଭାବ ଯୋଗୁଁ ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଯାଜୁପୁର ଆଦି ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ବିଜୁଳି ଘଡ଼ଘଡ଼ି ସହ ଏହି ଜିଲ୍ଲାଗୁଡ଼ିକରେ ବର୍ଷା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି ।
ସେହିପରି ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ସ୍ୱଳ୍ପ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ହେବାର ଆଶଙ୍କା ରହିଛି ।












Click it and Unblock the Notifications